ଜାତୀୟ ଯୁବ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ଆଶୀର୍ବାଦ ମହାପାତ୍ର (ଅନୁପ)

Share:

ଓଡିଶା ବ୍ୟୁରୋ

କଟକ : କର୍ଣ୍ଣାଟକର ହୁବଲୀ ଠାରେ ଜାନୁଆରୀ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୬ତମ ଜାତୀୟ ଯୁବ ମହୋତ୍ସବରେ(କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାର) ଯୋଗଦାନ କରି କୁଲିତା ଟୁକୁରା (ଗାନ୍ଧୀ ଟିକିରା) ର ଆଶୀର୍ବାଦ ମହାପାତ୍ର (ଅନୁପ) ତାଙ୍କ ଗାଁ ମାଁ ମାଟି ପାଇଁ ଗୌରବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନୀ ସଭାରେ ଯୋଗଦାନ କରିବା ସହିତ ଯୁବକମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ମହୋତ୍ସବରେ ଭାରତର ସମସ୍ତ ରାଜ୍ୟମାନଙ୍କରୁ ୭୫୦୦ ଜଣ ଯୁବ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଆଶୀର୍ବାଦ ଏଥିରେ ଆଦିବାସୀ ମାନଙ୍କ ଜୀବନଶୈଳୀ ଉପରେ ତାଙ୍କ ଲୋକନୃତ୍ୟ ପ୍ରଦର୍ଶିତ କରି ଖୁବ ପ୍ରଂଶସିତ ହୋଇଥିଲେ । ଏଥି ସହ ସେ ଆର୍ଟିଫିସିଆଲ ରକ କ୍ଲାଇମିଙ୍ଗ ଓ ଏଭିଏସନରେ କୃତିତ୍ୱର ସହ “ଏ” ଗ୍ରେଡ ହାସଲ କରିଥିଲେ । ଜାତୀୟ ସ୍ତରର ପର୍ବତାରୋହୀ ଆଶୀର୍ବାଦ ମାତ୍ର ୧୪ ସେକେଣ୍ଡ ସମୟରେ ତାଙ୍କ ରକ କ୍ଲାଇମିଙ୍ଗ ସମାପନ କରି ନିଜ ଉତ୍ତମ ଅନୁଭବ, କୌଶଳ ତଥା ଦକ୍ଷତାର ପରିଚୟ ଦେଇଥିଲେ । ଏହି ମହୋତ୍ସବ ଅବସରରେ କର୍ଣ୍ଣାଟକର ୩୩ ଟି ଭିନ୍ନ ଭିନ୍ନ ସ୍ଥାନରେ ୪,୦୫,୨୫୫ ଜଣ ଯୋଗ କରି ଗ୍ରୀନିଜ ବୁକରେ ସ୍ଥାନ ହାସଲ କରିଥିଲେ । ସୂଚନାଯୋଗ୍ୟ କି ଆଶୀର୍ବାଦ ମହାପାତ୍ର (ଅନୁପ) ବରଗଡ଼ ନେହେରୁ ଯୁବା କେନ୍ଦ୍ରର ଜଣେ ସଦସ୍ୟ । ଏହି ସଂଗଠନର ଜିଲ୍ଲାଧିକାରୀ ଶ୍ରୀ ରୋଶନ ଟଣ୍ଡନ, ଉପଦେଷ୍ଟା କମିଟୀ ମେମ୍ବର ଶ୍ରୀ ତ୍ରିଲୋଚନ ଶତପଥୀ ଆଶୀର୍ବାଦଙ୍କୁ ଦେଶ ପାଇଁ କିଛି କରିବାକୁ ସଦା ସର୍ବଦା ପ୍ରେରଣା ତଥା ସହଯୋଗ ଯୋଗାଇ ଆସୁଛନ୍ତି । ଆଶୀର୍ବାଦ ତାଙ୍କ ସମାଜ ଉପଯୋଗୀ କାର୍ଯ୍ୟ ପାଇଁ ତାଙ୍କ ଗାଁ ଗାନ୍ଧୀ ଟିକିରା ତଥା ତାଙ୍କ କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ବେଶ ଜଣାଶୁଣା । ତାଙ୍କ ସଫଳତାରେ ତାଙ୍କ ବାପା ରାମନାରାୟଣ ମହାପାତ୍ର, ମାଁ ଦମୟନ୍ତୀ ମହାପାତ୍ର, ଭାଇ ଆଦର୍ଶ ମହାପାତ୍ର, ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଇନ୍ଦିରା ଦେଈ ତଥା ମେଣ୍ଟର, ଲେଖକ ଓ ସମାଜ ସେବୀ ଅଭିଷେକ ପଣ୍ଡା ମାର୍ଗଦର୍ଶକ ସାଜି ଆସିଛନ୍ତି । ଜଣେ ଅନନ୍ୟ ପ୍ରତିଭାଶାଳୀ ଯୁବକ ହିସାବରେ ଓଡ଼ିଶା ତଥା ଭାରତ ପାଇଁ ଦେଶ ବିଦେଶରେ ସୁନାମ ଅର୍ଜନ କରିବା ତାଙ୍କ ଜୀବନର ଲକ୍ଷ୍ୟ ।
ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ତାଙ୍କ ଜୀବନର ଏକ ଶ୍ରେଷ୍ଠ ଉପଲବ୍ଧି ବୋଲି ଆଶୀର୍ବାଦ କୁହନ୍ତି ଓ ଦେଶ ସେବା ପାଇଁ ସେ ସଦା ସର୍ବଦା ତତ୍ପର ଥାନ୍ତି ବୋଲି କହିଥାନ୍ତି ।


Share: