ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କିତ ଦ୍ବିତୀୟ ଦିନ ଜନଶୁଣାଣି ଅନୁଷ୍ଠିତ

Share:

ଓଡିଶା ବ୍ୟୁରୋ ଚିଫ

ପୁରୀ- ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ଆଜି ପୂର୍ବାହ୍ନରେ କାଶିହରିପୁର, ସିରେଇକୋଣପାଟଣା, ଭାରଥିପୁର, କଦଳୀବାରୀ ପାଟଣା, ଆଳିକିଆ ଓ ଚକ୍ରବର୍ତ୍ତୀ ଗ୍ରାମ ପାଇଁ ମା’ ବସନ୍ତେଇ ମନ୍ଦିର ନିକଟରେ ଏବଂ ଅପରାହ୍ନ ସମୟରେ ବାଟଗାଁ ନିମନ୍ତେ ହରେକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଛି ।

ଏହି ପ୍ରକଳ୍ପ ନିମନ୍ତେ ପୁରୀ ତହସିଲ ଅନ୍ତର୍ଗତ ତିନୋଟି ପଞ୍ଚାୟତର ୧୧ଟି ଗ୍ରାମରୁ ୬.୪୭୬୫ ଏକର ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରେ ୧.୧୦୯ ଏକର ସରକାରୀ ଜମି ଓ ୬୨୮ଟି ପରିବାରର ୫.୩୬୭୫ ଏକର ବ୍ୟକ୍ତିଗତ ଜମି ରହିଛି । ଉକ୍ତ ପ୍ରକଳ୍ପ ନିମନ୍ତେ ଆଜି ଦ୍ବିତୀୟ ତଥା ଶେଷ ଦିନ ଶିଣାଣିରେ ମୋଟ ୩ ଏକର ୩୦ ଡିସିମିଲି ଜମି ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଛି । କାଶିହରିପୁରର ୨ ଏକର ୬୦ ଡିସିମିଲି ଏବଂ ବାଟଗାଁ ନିମନ୍ତେ ୭୦ ଡିସିମିଲି ଜମି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି । ରାସ୍ତା ସଂପ୍ରସାରଣକୁ ସଂପୃକ୍ତ ଅଞ୍ଚଳ ବାସିନ୍ଦା ମାନେ ସମର୍ଥନ କରିଥିଲେ । ଆବଶ୍ୟକୀୟ କ୍ଷତି ପୂରଣ ପ୍ରଦାନ ନିମନ୍ତେ ଜମି ମାଲିକ ମାନେ ଦାବି ଜଣାଇଥିଲେ । ଏହି ପ୍ରକଳ୍ପଟି ଅବଢା ଯୋଜନାର ଅନ୍ତର୍ଭୁକ୍ତ ଓ ଉକ୍ତ ରାସ୍ତାଟି ରଥଯାତ୍ରା, ବଡଦନ ଛୁଟି, କାର୍ତ୍ତିକ ମାସ ଭଳି ପର୍ବପର୍ବାଣି ସମୟରେ ସର୍ବାଧିକ ବ୍ୟବହାର ହୋଇଥାଏ । ଯାନବାହାନର ଗହଳିକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବାକୁ ୨୦୧୭-୧୮ ମସିହାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଭୁବନେଶ୍ବରସ୍ଥିତ ଜୟଦେବ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଆଣ୍ତ ରିସର୍ଚ ପକ୍ଷରୁ ଉକ୍ତ ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ କରାଯାଇଥିଲା । ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ଅର୍ଜନ ସ୍ବତନ୍ତ୍ର ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ,ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ ଶ୍ରୀ ସନ୍ତୋଷ ଷତପଥୀ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ବୀରହରେକୃଷ୍ଣପୁର ସରପଞ୍ଚ ଶ୍ରୀ ରାଜକିଶୋର ପଣ୍ତା, କାଶିହରିପୁର ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ଭୋଇ, ଅଂଶିଦାର ପ୍ରମୁଖ ଉପସ୍ଥିତ ଥିଲେ ।


Share: