ଓଡିଶା ସରକାରଭୁବନେଶ୍ବର ରୁ ଜୟପୁର ସହରକୁ ବିମାନସେବା ଉଡାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣର ରୂପାନ୍ତର ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜୟପୁର ବିମାନପଟ୍ଟୀକୁ UDAN (Ude Desh ki Aam Naagrik) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ବିମାନବନ୍ଦର ପ୍ରାଧିକରଣ ଙ୍କ ମିଳିତ ଉଦ୍ୟମରେ ବିମାନବନ୍ଦର ରୂପେ ବିକାଶ କରାଯାଇଅଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆଞ୍ଚଳିକ ଅଞ୍ଚଳରେ ଯାତ୍ରୀଙ୍କ ଯାତାୟାତ ବୃଦ୍ଧି ତଥା ସୁଲଭ ମୂଲ୍ୟରେ ବିମାନ ସଂଯୋଗ ଯୋଗାଇବା ତଥା ନୂତନ ବିମାନପଟ୍ଟୀକୁ ବିକଶିତ କରିବା ଉଦ୍ଦେଶ୍ୟରେ UDAN ଯୋଜନା ପ୍ରଣୟନ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ରାଜ୍ୟ ସରକାର ବିମାନବନ୍ଦର ନିମନ୍ତେ ଆବଶ୍ୟକ ହେଉଥିବା ଜମି, ସୁରକ୍ଷା ଏବଂ ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ୍ ଏବଂ ଜଳ ଦେୟ, ମାନବ ଶକ୍ତି ଏବଂ ଆର୍ଥିକ ପ୍ରୋତ୍ସାହନ ଇତ୍ୟାଦି ପ୍ରଦାନ କରିଥାନ୍ତି ।

ଆନନ୍ଦର ସହ ଆମେ ଜଣାଇବାକୁ ଚାଁହୁଛୁ ଯେ, ୨୦.୧୦.୨୦୨୨ ରେ ଜୟପୁର ବିମାନବନ୍ଦର ଆନୁଷ୍ଠାନିକ ଭାବରେ ନୂଆଦିଲ୍ଲୀର ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ 2B VFR ବର୍ଗରେ ଉଡାଣ ନିମନ୍ତେ ଲାଇସେନ୍ସ ପାଇଛି l ଭୁବନେଶ୍ୱର, ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପରେ ଏହା ରାଜ୍ୟର ଚତୁର୍ଥ ଲାଇସେନ୍ସ ପ୍ରାପ୍ତ ବିମାନବନ୍ଦର ଭାବେ ପରିଗଣିତ ହେବ l ଏହା ରାଜ୍ୟର ପ୍ରଥମ ନିଜସ୍ୱ ବିମାନବନ୍ଦର ହେବ, ଯାହା ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସପ୍ରାପ୍ତ |
ପ୍ରଥମ ପର୍ଯ୍ୟାୟରେ, ଜୟପୁର ସହରଟି ଆକାଶପଥରେ ଭୁବନେଶ୍ୱରକୁ ସଂଯୋଗ କରିବାକୁ ଯାଉଛି ଏବଂ M /s ଇଣ୍ଡିଆ ୱାନ ଏୟାରକୁ ନିୟମିତଭାବେ ୯ ସିଟର ବିଶିଷ୍ଟ ବିମାନକୁ ବ୍ୟବହାର କରି ଉପରୋକ୍ତ ମାର୍ଗରେ ପ୍ରାରମ୍ଭିକ ଭାବେ ୯୯୯ ଟଙ୍କା ମୂଲ୍ୟରେ ଉଡାଣ ପାଇଁ ଚୟନ କରାଯାଇଛି | ଏହା ରାଜ୍ୟ ରାଜଧାନୀ ଏବଂ ଜୟପୁର ସହର ମଧ୍ୟରେ ଯାତ୍ରା ସମୟକୁ ୧.୩୦ ଘଣ୍ଟାକୁ ହ୍ରାସ କରିବ
ଜୟପୁର ସହରରେ ବିମାନବନ୍ଦର ଏହି ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଓ ରାଜ୍ୟ ରାଜଧାନୀକୁ ସଂଯୋଗ କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା | ବର୍ତ୍ତମାନ ଏହି ସହରଟି ଦକ୍ଷିଣ ଓଡିଶାର ଏକ ବାଣିଜ୍ୟ କେନ୍ଦ୍ର ଭାବରେ ଉଭା ହୋଇଛି ଯେଉଁଥିରେ ଅନେକ ଉତ୍ପାଦନକ୍ଷମ କାରଖାନା ଅଛି | ଏହା ବ୍ୟତୀତ ଏଠାରେ ଦର୍ଶକ ମାନଙ୍କ ପାଇଁ ଅନେକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଏବଂ ବିଭିନ୍ନ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଅଛି | ଜୟପୁର ବିମାନବନ୍ଦର ପାଇଁ ଅନେକ ଦିନ ଧରି ଜନସାଧାରଣଙ୍କର ଦାବି ଥିଲା ଏବଂ ବର୍ତ୍ତମାନ, ବିମାନ ସଂଯୋଗ ପ୍ରତ୍ୟେକ ଦିଗରେ ସମସ୍ତଙ୍କ ସ୍ୱପ୍ନକୁ ପୂରଣ କରିପାରିବ |
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁ ନି ସାହୁ ମୁଖ୍ୟ ଶାସନ୍ ସଚିବ ଶ୍ରୀ ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ


Share: