ବଡଖିଲାପଦର ଉଚ୍ଚ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

କୋଲନରା ବ୍ଲକ ଅନ୍ତର୍ଗତ ବଡଖିଲାପଦର ସଦର ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ପଞ୍ଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଲିସିକା, ସ୍ଥାନୀୟ ସରପଞ୍ଚ ମାଦାରାଓ କଣ୍ଡାଗରି, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ସମିତି ସଭ୍ୟ କୈଳାଶ ହିକକା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରୀ, ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କଣ୍ଡାଗରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ନବୀନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ କପାପଦର ସରପଞ୍ଚ ବିର ସିଂ, ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା, ମୁକୁନ୍ଦପୁର ସମିତି ସଭ୍ୟ ଅଜୟ ନିଶାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋପୀନାଥ ପରିଛା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ତ୍ରିନାଥ ଶବର, ସ୍ୱରାଜ ବେହେରା, ଶ୍ୟାମ ସୁନ୍ଦର ଶବର, ଦୈତାରୀ ବାରିକ, ଶିକ୍ଷୟିତ୍ରୀ କଲ୍ୟାଣି ମିଶ୍ର, ଲତା ଆରାକା ଓ ମେଟ୍ରୋନ ବାସନ୍ତୀ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ


Share: