ହକି ବିଶ୍ୱକପ ଟ୍ରଫି କୁ ଭବ୍ୟ ସ୍ୱାଗତ କଲା ପୁରୀ ଜିଲ୍ଲା ପ୍ରଶାସନ

Share:

ଓଡିଶା ବ୍ୟୁରୋ

ପୁରୀ: ଓଡ଼ିଶା ଆୟୋଜନ କରୁଛି ୨୦୨୩ ହକି ବିଶ୍ୱକପ ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ୧୬ ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରୁଥିବା ବେଳେ ଭୁବନେଶ୍ୱର ଓ ରାଉରକେଲା ରେ ଖେଳ ଅନୁଷ୍ଠିତ ହେବ।ହକି ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ୱକପର ଟ୍ରଫି ବିଭିନ୍ନ ରାଜ୍ୟ ଓ ଆମ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି।ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ବିଶ୍ୱକପ ଟ୍ରଫି କୁ ଦିଆଯାଇଛି ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା। ହଜାର ହଜାର ଦର୍ଶକ ଦେଶପ୍ରେମ ରେ ଉଦବୁଦ୍ଧ ହୋଇ ଟ୍ରଫି କୁ ଉଲ୍ଲାସର ସହ ଦେଖି ଚକ ଦେ ଇଣ୍ଡିଆ ଧ୍ୱନି ଦେଇ ସ୍ୱାଗତ କରିଥିଲେ। ଗତକାଲି ରାତିରେ ପୁରୀରେ ପହଞ୍ଚିଥିବା ଟ୍ରଫି କୁ ସକାଳ ୭.୩୦ ମି ସମୟରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସି ବିଚ କୁ ଅଣାଯାଇଥିଲା।ଟ୍ରଫି କୁ ଅଣାଯିବା ସମୟରେ ପୋଲିସ ବ୍ୟାଣ୍ଡ ସହ ଏନସିସି,ସ୍କାଉଟ, ଗାଇଡ଼ କ୍ୟାଡେଟ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, କଳାକାର ଓ ସାଧାରଣ ଜନତା ବିପୁଳ ସ୍ୱାଗତ କରିଥିଲେ।ଏହି ଟ୍ରଫି କୁ ସର୍କିଟ ହାଉସ ଠାରୁ ଆଣିଥିବା ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ସି ବିଚ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ହସ୍ତାନ୍ତର କରିଥିଲେ। ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ,କ୍ରିଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆମ ଜାତୀୟ ଖେଳକୁ ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ଭୂମିକା ନିର୍ବାହ କରୁଛି । ବିଶ୍ୱକପ ଭଳି ବିଶ୍ୱସ୍ତରୀୟ ସମ୍ମାନ ଜନକ ଟୁର୍ଣ୍ଣାମେଣ୍ଟ କୁ ଓଡିଶା ଦୁଇ ଦୁଇ ଥର ଆୟୋଜନ କରିବା ଅତ୍ୟନ୍ତ ଗୌରବର କଥା ବୋଲି କହିବା ସହ ପ୍ରତିଟି ଓଡ଼ିଆ ତଥା ଭାରତୀୟ ଙ୍କ ପାଇଁ ଏହା ଗର୍ବର ମୂହୁର୍ତ୍ତ ବୋଲି କହିଥିଲେ। ପରେ ଆନ୍ତର୍ଜାତୀୟ କ୍ରିଡା ରେ ସଫଳତା ଅର୍ଜନ କରିଥିବା ୧୪ ଜଣ କ୍ରିଡାବିତ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ ଟି ଯାକ ଦଳର ଜର୍ସି ପିନ୍ଧି ୧୬ ଜଣ କ୍ରିଡାବିତ ଅନ୍ତେବାସୀ ମାନେ ଅଭିନବ ଶୈଳୀରେ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଦ୍ଧ ମହାବୀର ସଙ୍ଗୀତ ପରିଷଦ ପକ୍ଷରୁ ଗୁରୁ ସତ୍ୟପ୍ରିୟ ମହାପାତ୍ର ଙ୍କ ସଂଯୋଜନା ରେ ସ୍ୱାଗତ ସଙ୍ଗୀତ, ଖ୍ୟାତି ସମ୍ପର୍ଣ୍ଣ କଣ୍ଠଶିଳ୍ପୀ ଦେବାଂଶୀ ଦାସ ଙ୍କ ଦ୍ୱାରା କଣ୍ଠ ସଂଗୀତ, ଗୁରୁ କୁମାର ଭୀମସେନ ଓ ତୁଷାର ଜୈନ ଙ୍କ ସଂଯୋଜନା ରେ ଜୁମ୍ବା ନୃତ୍ୟ, ପଲ୍ଲିଶ୍ରୀ ସୋସିଓ କଲଚରାଲ ସେଣ୍ଟର ପକ୍ଷରୁ ଗୁରୁ ପବିତ୍ର ପରିଡ଼ା ଙ୍କ ନେତୃତ୍ୱରେ ସମ୍ବଲପୁରୀ ନୃତ୍ୟ, ଜ୍ଞାନ ରଞନ ମହାନ୍ତି ଙ୍କ ନେତୃତ୍ୱରେ ମାଲଖମ୍ବ କ୍ରିଡା ପ୍ରଦର୍ଶନ କରାଯାଇଥିଲା।ସେହିପରି ଷ୍ଟ୍ରଲିଂ ଠାରୁ ଭିକ୍ଟୋରିଆ ପର୍ଯ୍ୟନ୍ତ ୫୦୦ କ୍ରିଡା ଛାତ୍ର ଛାତ୍ରୀ ଏକ ମାରାଥନ ରେ ଆସିଥିଲେ।ତେବେ ସି ବିଚର ଆକର୍ଷଣ ସାଜିଥିଲେ ଓଟ ଓ ଘୋଡା ମାନେ।ଟ୍ରଫି ଆଗମନ ପଥରେ ରହି ସେମାନେ ଶୋଭା ବୃଦ୍ଧି କରିଥିଲେ।ସେହିପରି ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ରେ ବିଶ୍ୱକପ ଟ୍ରଫି ପ୍ରଦର୍ଶନ କରିଥିଲେ। ପରେ ପରେ ଟ୍ରଫି କୁ ସିଂହଦ୍ଵାର ନିକଟକୁ ନିଆଯାଇ ଅରୁଣ ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା ଓ ଖଣ୍ଡୁଆ ପାଟ ଅର୍ପଣ କରାଯାଇଥିଲା। ବ୍ରାହ୍ମଣ ମାନଙ୍କ ପବିତ୍ର ବେଦ ମନ୍ତ୍ରରେ ଟ୍ରଫି କୁ ସ୍ୱାଗତ କରାଯାଇଥିଲା।ପରେ ଜାତୀୟ ସ୍ତରରେ ମେଡାଲ ହାସଲ କରିଥିବା ସେବାୟତ କ୍ରିଡାବିତ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସିଂହଦ୍ଵାର ସମ୍ମୁଖରେ ମଧ୍ୟ ଓଡିଶୀ, ନାଗା, ସାହିଯାତ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।ପରେ ଟ୍ରଫି କୁ ଜଗନ୍ନାଥ ଷ୍ଟାଡିୟମ, କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିର ନିକଟକୁ ନିଆଯାଇ ଫଟୋ ସୁଟ କରାଯାଇଥିଲା। ଏହାପରେ ଟ୍ରଫି କୁ ଗୋପ ନିଗମାନନ୍ଦ ହାଇସ୍କୁଲ, ନିମାପଡା ବଜାର ଛକ ଓ ଖେଲାର ସ୍ଥିତ ଚିନ୍ତାମଣି ବିଦ୍ୟାପୀଠ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଜିଲ୍ଲା ରୁ ବିଦାୟ ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସ ପି ମିହିର ପ୍ରସାଦ ପଣ୍ଡା,ନିତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର ରଞନ ବେହେରା, ରାକେଶ କୁମାର ପଣ୍ଡା,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସି ବିଚ ଥାନା ଆଇଆଇସି ଚିନ୍ମୟ ରାଉତ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଲୋକ ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ ସାଧାରଣ ଲୋକ ମାନେ ଯୋଗ ଦେଇଥିଲେ।


Share: