କାଳବୈଶାଖୀ ଓ ବଜ୍ରପାତ ପରେ ବିଦ୍ୟୁତ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ ବିତରଣ କମ୍ପାନୀଙ୍କ ସହିତ ସମୀକ୍ଷା ବୈଠକ ।

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାଳବୈଶାଖୀ, ବଜ୍ରପାତ ଆଦି ପରେ ବିଦ୍ୟୁତ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ବିତରଣ କମ୍ପାନୀ (ଡିସକମ୍)ମାନଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଓଇଆରସିର ନିର୍ଦ୍ଦେଶକ (ନିୟାମକ), ଡିସକମର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର, ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ( ଫାଇନାନ୍ସ ଓ କର୍ପୋରେଟ୍ ବ୍ୟାପାର) ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ ଯେ, ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଯାହା ଦ୍ୱାରା ବିଦ୍ୟୁତ୍ ବାଧାପ୍ରାପ୍ତ ହୋଇପାରେ । ତେଣୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ୍ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମ ଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ଡିସକମର ସିଇଓମାନେ ଅବଗତ କରାଇଥିଲେ । ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ୍ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମ୍ ର କ୍ଷମତା ବୃଦ୍ଧି ବିଷୟରେ ମଧ୍ୟ ବିଦ୍ୟୁତ ବିତରଣ କମ୍ପାନୀମାନେ ସୂଚନା ଦେଇଥିଲେ । ଡିସକମ୍ ତରଫରୁ କୁହାଯାଇଥିଲା ଯେ, ସିଷ୍ଟମ ମଜବୁତ କରିବା ପାଇଁ କ୍ୟାପେକ୍ସ ପ୍ରସ୍ତାବ ଓଇଆରସି ଅନୁମୋଦନ ପାଇଁ ଦାଖଲ କରାଯାଏ ।
ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ କହିଛନ୍ତି ଯେ, ପ୍ରାକ୍ ମୌସୁମୀ ଗଛ କାଟିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶକ୍ତି ବିଭାଗ ଡିସକମ୍ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ବାତ୍ୟା ଓ କାଳବୈଶାଖୀ ଜନିତ କ୍ଷୟକ୍ଷତି କୁ କମ୍ କରାଯାଇପାରିବ । ସେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଉନ୍ନତମାନର ଇନସୁଲେଟର ଲଗାଇବା ଏବଂ କ୍ଷତିଗ୍ରସ୍ତ ଇନ୍ସୁଲେଟରଗୁଡିକୁ ବଦଳାଇବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା କଣ୍ଡକ୍ଟର ନଷ୍ଟ ବା କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିବ ।
ପ୍ରବଳ ଗରମ ଏବଂ ଅଧିକ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ଡିସକମଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଡିସକମଗୁଡ଼ିକୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ପ୍ଲାଟଫର୍ମରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ଶୀଘ୍ର ଓ ନିର୍ଦ୍ଦିଷ୍ଟ ହେବା ଉଚିତ୍ ବୋଲି ସେ କହିଥିଲେ ।
ଆସନ୍ତା ୧୦-୧୫ ବର୍ଷର ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଓପିଟିସିଏଲ୍ ଓ ଡିସକମମାନଙ୍କୁ ପରାମର୍ଶ ଦିଆଯାଇଛି । ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମମାନଙ୍କୁ ୩ରୁ ୫ ବର୍ଷ ପାଇଁ ବହୁବର୍ଷିଆ କ୍ୟାପେକ୍ସ ପ୍ଲାନ୍ ଦାଖଲ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର ଓ ରାଉରକେଲା ଆଦି ବିଭିନ୍ନ ମହାନଗର ନିଗମ, ପୌରାଂଚଳ ଆଦି ସମେତ ଗ୍ରାମାଂଚଳରେ ମଧ୍ୟ ଆକଳିତ ଲୋଡ୍ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଡିସକମ ଗୁଡ଼ିକ ସେମାନଙ୍କ କ୍ୟାପେକ୍ସ ଯୋଜନା ଅଧୀନରେ ବିଭିନ୍ନ ସିଷ୍ଟମ୍ ଉନ୍ନତି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିବାରୁ ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ଏହାକୁ ତତ୍ପରତାର ସହ ଧ୍ୟାନ ଦେଇ ଆବଶ୍ୟକ ଅନୁମୋଦନ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ ଅବସରରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦିଆଯାଇଛି । ବିଜନେସ୍ ଆସୋସିଏଟ୍ସ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଡିସକମ୍ ଚବିଶ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଚଳାଇବା ଉଚିତ୍ । ସେମାନେ ପର୍ଯ୍ୟାପ୍ତ ମାନବ ସମ୍ବଳ ଏବଂ ଉପକରଣ ଯଥା ପୋଲ ଇରେକ୍ଟର/ ପୋଲ ମାଷ୍ଟର, ଡିଜି ସେଟ୍, ଇନଫ୍ଲେଟେବଲ୍ ଟାୱାର ଲାଇଟ୍ ଇଦ୍ୟାଦି କାର୍ଯ୍ୟ ପାଇଁ ପାଳିରେ ଡ୍ୟୁଟି କରିବା ଆବଶ୍ୟକ । ଡିସ୍କମମାନଙ୍କରେ ରହିଥିବା ଡିଭିଜନ, ସବ୍ ଡିଭିଜନ ଏବଂ ସେକ୍ସନଗୁଡ଼ିକର କାର୍ଯ୍ୟଦକ୍ଷତା ନିୟମିତ ଭାବେ ତଦାରଖ କରାଯିବା ସହ ବ୍ୟବସ୍ଥାରେ ଥିବା ଅକ୍ଷମତାକୁ ଦୂର କରିବାକୁ ହେବ । ବିଳମ୍ବିତ ସମାଧାନ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ସମସ୍ୟା ଥିଲେ ଉପଭୋକ୍ତାଙ୍କୁ ଆଗୁଆ ପର୍ଯ୍ୟାପ୍ତ ସୂଚନା ଦିଆଯାଇପାରିବ । ତେବେ ଏଭଳି ପରିସ୍ଥିତିକୁ ଏଡ଼ାଇ ବା ସର୍ବନିମ୍ନ ସ୍ତରକୁ ହ୍ରାସ କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।


Share: