ମୁକୁନ୍ଦପୁର ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି ସତ୍ୟନାରାୟଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନରେନ୍ଦ୍ର ନିଶାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ପରିଚାଳନା କମିଟିର ସରୋଜ ବିଡିକା, ପ୍ରଫୁଲ ବିଡିକା, ଟୁଟୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ମୁକୁନ୍ଦପୁର ସ୍ଥିତ ମଲ୍ଲିକେଶ୍ୱର ଶିବ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବିଦ୍ୟାଳୟ ପରିସରକୁ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏକ ଶପଥ ପାଠ କରାଯାଇଥିଲା। ୨ ଦିନ ଧରି ଅନୁଷ୍ଠିତ ହେବା ଏହି କ୍ରୀଡା ଉତ୍ସବରେ କନିଷ୍ଠ, ଉପକନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭକ୍ତ କରାଯାଇ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଛି। ଏଥିରେ ଉପକନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ୧୦୦ ମିଟର ଦୌଡ, ସଟଫୁଟ, ଦୌଡ଼ି ଡିଆଁ, ଡିସ୍କସ, ହାଇଜମ୍ପ, ଲଙ୍ଗ ଜମ୍ପ ଭଳି ମୋଟ ୧୨ଟି ପ୍ରତିଯୋଗୀତା କରାଯାଇଥିବା ବେଳେ କନିଷ୍ଠ ବର୍ଗ ପାଇଁ ବାଟି ଚାମଚ, ବସ୍ତା ଡିଆଁ, ମ୍ୟୁଜିକ୍ ଚେୟାର ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ସମସ୍ତ କ୍ରୀଡ଼ାରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ୧୮ ତାରିଖ ଦିନ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ନେଇ ଜଣାପଡିଛି। ଏହିପରି କ୍ରୀଡା ଦ୍ୱାରା ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ପିଲାଙ୍କ ବିକାଶ ହେବା ସହ ଶିକ୍ଷାର ଉନ୍ନତି ହୋଇଥାଏ ଏବଂ ହାରିବା ଜିତିବାରେ କିଛି ନାହିଁ ଏହି ମାଧ୍ୟମରେ ନିଜ ପ୍ରତିଭାକୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିପାରିବା ବୋଲି ବିଦ୍ୟାଳୟ ସଭାପତି ଶ୍ରୀ ନିଶାଲ ମତବ୍ୟକ୍ତ କରିଥିଲେ। ଶିକ୍ଷକ ସଂଜୟ କୁମାର ନାଗ ମଞ୍ଚ ପରିଚାଳନା କରିଥିଲେ। ଆୟୋଜିତ ସମସ୍ତ କ୍ରୀଡାକୁ କ୍ରୀଡା ଶିକ୍ଷକ ଏସ୍ ଜଗନ୍ନାଥ ଆଚାରି ପରିଚାଳନା କରିଥିବା ବେଳେ ସହକାରୀ ସୋମନାଥ ଦାସ, ଅଶୋକ ଦାସ, ଅମୂଲ୍ୟ ମାଳି, ସଂଜୟ କୁମାର ନାଗ, ବାଳକୃଷ୍ଣ ଗମାଙ୍ଗ, ବୈଲୋଚନ ନାୟକ ଓ ଲକ୍ଷ୍ମୀକାନ୍ତ ରାଓଙ୍କ ସମେତ ଶିକ୍ଷୟିତ୍ରୀ ଅନୀଲ ପାଢ଼ୀ, ଲିଲିପ୍ରିୟ ଶ୍ରଭା ସାହୁ, ଜିତାରାଣୀ ସେନାପତି ଓ ଟି ଲକ୍ଷ୍ମୀ ନାଥମା ପ୍ରମୁଖ ଉପସ୍ଥିତ ରହି ସମସ୍ତ କ୍ରୀଡାକୁ ପରିଚାଳନାରେ ସହଯୋଗ କରିଥିଲେ।


Share: