ଆରପାରିରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତିଦେବୀ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ସେବା ସମାଜ ଠାରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତିଦେଵୀ ତଥା ସମସ୍ତଙ୍କ ପ୍ରିୟ ” ଵୋଉ ” ଙ୍କ ୮୮ ଵର୍ଷ ବୟସରେ ପରଲୋକ ଘଟିଛି । ଶ୍ରୀମତୀ ଶାନ୍ତିଦେଵୀ ରାତି ପ୍ରାୟ ୧୨.୩୦ ମିନଟ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ଗୁଣପୁର ଉପଖଣ୍ଡ ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଜଣେ ଶ୍ରେଷ୍ଠ ସେଵିକା , ପରୋପକାରୀ , ସମାଜସେବୀ , ଗାନ୍ଧିବାଦୀ ମହିଳା ଭାବେ ଶାନ୍ତିଦେଵୀ ସାରା ଓଡ଼ିଶାରେ ପରିଚିତ ଥିଲେ । ତାଙ୍କର ଅନନ୍ୟ ସେବା ପାଇଁ ବିଳମ୍ବରେ ହେଲେ ମଧ୍ୟ ଗତ ନଭେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ରାମନାଥ କୋଵିଦଙ୍କ ଠାରୁ ପଦ୍ମଶ୍ରୀ ଉପାଧୀରେ ଭୂଷିତ ହୋଇଥିଲେ ।
ଏପରି ଜଣେ ଅନନ୍ୟ ପ୍ରତିଭା ୧୯୩୪ ମସିହା ଏପ୍ରିଲ ୧୮ ତାରିଖରେ ବାଲେଶ୍ଵର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଫକୀର ମୋହନ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ପରେ ୧୯୫୧ ମସିହାରେ ୧୭ ଵର୍ଷ ବୟସରେ ଜମିଦାର ପରିବାରରେ ଡ଼ଃ ରତନ ଦାସଙ୍କୁ ବିବାହ କରିଥିଲେ । ଜୀଵନର ସଵୁ ସୁଖ ସୁବିଧାକୁ ପରିତ୍ୟାଗ କରି ଦୀନ ଦରିଦ୍ରଙ୍କ ସେଵା କରିବାକୁ ସେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାକୁ ଵାଛିଥିଲେ । ସ୍ବାମି ରତନ ଦାସଙ୍କ ସହ ୧୯୫୧ ମସିହା ନଭେମ୍ବର ମାସରେ ସେ ପ୍ରଥମେ ଗୁଣପୁରରେ ପହଞ୍ଚି ନିଜର ସେଵା କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳେ ଵିନୋଵା ଭାବେ ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ବରେ ଓଡିଶାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନରେ ଯୋଗଦେଇ ୧୯୫୨ ମସିହା ଜାନୁଆରୀ ମାସରେ ସତ୍ୟାଗ୍ରହ କରିଥିଲେ । ୧୯୬୪ ମସିହାରେ ରାୟଗଡା ଓ ୧୯୭୧ ମସିହାରେ ଗୁଣପୁର ଠାରେ ସେବା ସମାଜ ଆରମ୍ଭ କରି ଅବହେଳିତ , ନିଷ୍ପେସିତ , ଅନାଥ ମହିଳା ଓ ଶିଶୁ ମାନଙ୍କ ସେଵାରେ ନିଜ ଜୀବନ ଵିତାଇ ଦେଇଥିଲେ । ତାଙ୍କର ନିଃସ୍ଵାର୍ଥପର ସମାଜସେବା ପାଇଁ ୧୯୯୪ ମସିହାରେ ଜମନଲାଲ୍ ଵଜାଜ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଦୀର୍ଘ ୭୦ ଵର୍ଷା କାଳ ନିରବାଛିନ୍ନ ସେଵା କରି ଶେଷରେ ନିରଵୀ ଯାଇଛନ୍ତି ପଦ୍ମଶ୍ରୀ ଶାନ୍ତିଦେଵୀ । ତାଙ୍କର ମହାପ୍ରୟାଣ ରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ଵିଜୁ କଲ୍ୟାଣ ସମିତି ଅଧ୍ୟକ୍ଷ ସୁଧିର ଦାସ , ଵିଧାୟକ ରଘୁନାଥ ଗମାଙ୍ଗ ସମେତ ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ଗଣେଶୀ ଲାଲ ସମେତ ଵହୁ ରାଜନେତା , ପ୍ରଶାସକ , ଆତ୍ମିୟସ୍ବଜନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।


Share: