ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Share:

ଶ୍ରେଷ୍ଠ ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ସମ୍ବର୍ଦ୍ଧିତ

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ: ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ “ଆଜିର ଲିଙ୍ଗଗତ ସମାନତା କାଲିର ସୁରକ୍ଷା କବଚ” ଉପରେ ଆଲୋଚନା କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନେ ନିଜର ପାରଦର୍ଶିତା ପ୍ରତିପାଦିତ କରିଚାଲିଛନ୍ତି । ମହିଳା ମାନଙ୍କୁ ପୁରୁଷ ମାନଙ୍କ ଭଳି ସମାନ ଗୁରୁତ୍ବ ଦିଆଗଲେ ଅନେକ ସାମାଜିକ ସମସ୍ୟାର ସମାଧାନ ହୋଇପାରିବ ।

ଏଥିନିମନ୍ତେ ମାନସିକ ସ୍ତରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହାଦ୍ବାରା ଭବିଷ୍ୟତ ସୁରକ୍ଷିତ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଓ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥି କନ୍ୟା ସନ୍ତାନ ମାନଙ୍କୁ ଉଚ୍ଚତର ଓ ଉନ୍ନତ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରେଷ୍ଠ ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ, ସ୍ବୟଂସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧିତ ଏବଂ ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା ।
ବିଭିନ୍ନ ବ୍ଲକର ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।


Share: