ହବିଷ୍ୟାଳୀ ଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

Share:

ରଞ୍ଜନ ଦାସ

ପୁରୀ :କାର୍ତ୍ତିକ ମାସରେ ଶ୍ରୀଜିଉ ଙ୍କ ପାଖରେ ହବିଷ ବ୍ରତ କରିବାକୁ ହବିଷ୍ୟାଳୀ ମାନେ ପୁରୀ ଆସିଥାନ୍ତି। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀ ମାନଙ୍କ ରହିବା,ଶ୍ରୀଜିଉ ଙ୍କ ଦର୍ଶନ, ପୂଜା ବ୍ୟବସ୍ଥା,ଖାଇବା ଇତ୍ୟାଦି ର ସୁ ବନ୍ଦୋବସ୍ତ ବିଗତ ବର୍ଷ ମାନଙ୍କ ରେ କରାଯାଇଥିଲା।ତେବେ କରୋନା ପାଇଁ ଗତ ଦୁଇ ବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ହବିଷ୍ୟାଳୀ ମା ମାନଙ୍କ ପାଇଁ ପୁନଶ୍ଚ ଏହାର ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳୀ ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ବୟ ରଖି ସୁଚାରୁ ରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ହବିଷ୍ୟାଳୀ ମାନଙ୍କୁ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ସ୍ଥିତ ମୁନିସିପାଲ୍ଟି କଲ୍ୟାଣ ମଣ୍ଡପ ଠାରେ ରଖାଯିବ।ସେମାନଙ୍କର ପଞିକରଣ ପାଇଁ ବିଭିନ୍ନ ଖବରକାଗଜ ରେ ବିଜ୍ଞାପନ ଦିଆଯାଇଥିବାରୁ ତାହାର ଡାଟାବେଶ କୁ ତ୍ୱରାନ୍ୱିତ କରାଯିବ। ଆବେଦନ ଗୁଡିକୁ ଯାଚଂ ପରେ ଯୋଗ୍ୟ ହବିଷ୍ୟାଳୀ ଙ୍କ ପାଇଁ ସମସ୍ତ ସୁବିଧା କରାଯିବ। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ମହାପ୍ରସାଦ ସେବନ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ,ବିଦ୍ୟୁତ ଯୋଗାଣ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦି ର ମଧ୍ୟ ସୁବନ୍ଦୋବସ୍ତ କରାଯିବ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା,ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ନିତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ,ମନ୍ଦିର କମିଟି ସଦସ୍ୟ ବୃନ୍ଦ,ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ,ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ ଚଳିତ ମାସ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ www.puri.nic.in ସାଇଟରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କୁ oritourpuri@gmail.com ରେ ଅନଲାଇନ ବା ଅଫଲାଇନ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦାଖଲ କରିପାରିବେ।ଦରଖାସ୍ତକାରୀ ଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନ ର ଠିକଣା, ଯୋଗାଯୋଗ ନମ୍ବର ବା ମେଲ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟ ଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟ ପତ୍ର ନମ୍ବର, ଆବେଦନ ପତ୍ର ରେ ଗୋଟିଏ ଓ ଅନ୍ୟ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆବେଦନ କାରୀ ଡବଲ ଡୋଜ କୋଭିଡ ଟୀକା ନେଇଥିବା ଜରୁରୀ ଅଟେ।


Share: