କ୍ୟାରିଅର କାଉନସେଲିଂ କର୍ମଶାଳା ଅନୁଷ୍ଠିତ

Share:

ରଞ୍ଜନ ଦାସ

ପୁରୀ : କ୍ୟାରିଅର କାଉନସେଲିଂ ବା ବୃତ୍ତି ପରାମର୍ଶ ପ୍ରତ୍ୟେକ ଜୀବନ କୁ ଏକ ସୁନ୍ଦର ଓ ଶୃଙ୍ଖଳିତ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ। ଆଜି ପୂର୍ବାହ୍ନ ରେ ୟୁଥ ହଷ୍ଟେଲ ପରିସରରେ ଜିଲ୍ଲା ପ୍ରଶାସନ,ନେହେରୁ ଯୁବକେନ୍ଦ୍ର,ସ୍ୱଛାସେବୀ ସଂଗଠନ ସମ୍ପର୍କ ଓ ଆକ୍ସନ ଏଡ଼୍ ଙ୍କ ମିଳିତ ଆନୁକୂଲ୍ୟରେ କିଶୋର କିଶୋରୀ ଙ୍କ ବୃତ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପ୍ରତ୍ୟେକ ପିଲା ଉପଯୁକ୍ତ ଶିକ୍ଷା ଗ୍ରହଣ ସହ ନିଜ ଦକ୍ଷତା ଅନୁସାରେ ନିଜ ବୃତ୍ତି ଚୟନ କରିବା ଉଚିତ ବୋଲି କହିଥିଲେ। ଲକ୍ଷ୍ୟ ପଥ ସ୍ଥିର କରି କାର୍ଯ୍ୟ କରିବା ଓ ୨ ଟି ପ୍ଲାନ ନେଇ ଆଗେଇବା ଉଚିତ। ପ୍ରଥମ ପ୍ଲାନରେ ଆଶା କରିଥିବା ବୃତ୍ତି କୌଣସି କାରଣରୁ ହାସଲ ନ ହୋଇ ପାରିଲେ ଦ୍ୱିତୀୟ ପ୍ଲାନକୁ ଉପଯୋଗ କରି ଜଣେ ସଫଳ ହୋଇ ପାରିବ। ତେଣୁ କୌଣସି କ୍ଷେତ୍ରରେ ନିରାଶ ବା ଅତିରିକ୍ତ ଆତ୍ମବିଶ୍ବାସୀ ନ ହୋଇ ନିଜ ପ୍ରତିଭା, ଦକ୍ଷତା ଓ ପରିଶ୍ରମ ଦ୍ୱାରା ସଫଳତା ପାଇଁ ସେ ଆହ୍ବାନ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ପିତାମାତା ବା ଅଭିଭାବକ ଙ୍କ ଅତିରିକ୍ତ ଆଶା ବା ଚାପ ପିଲାଟିର ବାସ୍ତବ ଦକ୍ଷତା କୁ ପ୍ରଭାବିତ କରିବାର ଅନେକ ଉଦାହରଣ ରହିଥିବା ଉଲ୍ଲେଖ କରି ନିଜର ଶିକ୍ଷା, ଜ୍ଞାନ, ପ୍ରତିଭା ଓ ଦକ୍ଷତାର ଉପଯୋଗ କରି ସଫଳ ହେବା କୁ ସେ ଅନୁରୋଧ କରିଥିଲେ। ଏହା ମୋ ଦ୍ବାରା ସମ୍ଭବ ନୁହେଁ ର ମନୋଭାବ ପରିହାର କରି ଚେଷ୍ଟା କରି ବିଫଳ ହେଲେ ହାସଲ ଅଭିଜ୍ଞତା ପରବର୍ତ୍ତୀ ସମୟରେ ସହାୟକ ହୁଏ ବୋଲି ସେ କହିଥିଲେ। ବିଷୟ ବିଶାରଦ ଓ ପରାମର୍ଶ ଦାତା ପ୍ରଫେସର ଡଃ ପ୍ରଭାତ କୁମାର ଷଡ଼ଙ୍ଗୀ ,ଶ୍ରୀ ରତ୍ନାକର ପାଣିଗ୍ରାହୀ,ହୋଟେଲ ମ୍ୟାନେଜମେଣ୍ଟ ର ଶ୍ରୀ ଦେବେନ୍ଦ୍ର ରଥ ଓ ଜୀବିକା ମିଶନର ସଂଯୋଜକ ଶ୍ରୀ ବନଜ କୁମାର ମାହାରୀ ,ବିସ୍ତୃତ ଆଲୋଚନା ମାଧ୍ୟମରେ ପିଲା ମାନଙ୍କର ମନସ୍ତତ୍ୱ, ଦକ୍ଷତା, ଆବଶ୍ୟକତା, ଅନୁଭୂତି ଓ ବୃତ୍ତି ଚୟନ କୁ ସାମଗ୍ରିକ ଭାବେ ଉପସ୍ଥାପିତ କରିବା ସହ ପିଲା ମାନଙ୍କ ସହ ବାର୍ତ୍ତା ର ଆଦାନ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପ୍ରାଧ୍ୟାପକ ଡଃ ରାକେଶ କୁମାର ମିଶ୍ର,ସ୍ୱଛାସେବୀ ସଂଗଠନ ସମ୍ପର୍କର ସମ୍ପାଦକ ଶ୍ରୀ ସୌମେନ୍ଦ୍ର କୁମାର ଦାସ ପ୍ରମୁଖ ପିଲା ମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଏହି କର୍ମଶାଳା ଅନେକ ପ୍ରେରଣା ଦାୟୀ ହେବ ବୋଲି କହିଥିଲେ। ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ ଏଥିରେ ଅଧ୍ୟକ୍ଷତା କରିବା ସହ ଏହି ପରାମର୍ଶ କର୍ମଶାଳା ପିଲା ମାନଙ୍କ ଭବିଷ୍ୟତ ପାଇଁ ବିଶେଷ ସହାୟକ ଓ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି କହିଥିଲେ। ଏହି କର୍ମଶାଳାରେ ବିଭିନ୍ନ ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଆକ୍ସନ ଏଡ଼ ର ସଂଯୋଜକ ସୁମିତା ଘୋଷ ବୈଠକ ପରିଚାଳନା କରିଥିଲେ।


Share: