ପ୍ରତିଟି ପ୍ରାଣୀ ମଧ୍ୟରେ ଇଶ୍ୱରଙ୍କ ସତ୍ତା :ରାଜ୍ୟପାଳ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ ପ୍ରତିଟି ପ୍ରାଣୀ ମଧ୍ୟରେ ଇଶ୍ୱରଙ୍କ ସତ୍ତା ରହିଛି। ପ୍ରେମ, ସମର୍ପଣ ଓ ସ୍ଵୀକାର ଦ୍ଵାରା ତାଙ୍କୁ ଉପଲବ୍ଧି କରିହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍। ଶନିବାର ପୂର୍ବାହ୍ନରେ ପୁରୀ ଦୁଧୱାଲା ଧର୍ମଶାଳା ଠାରେ ଚାରଣ ଗୋଷ୍ଠୀ ପୁରୀ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ ମହୋତ୍ସବ କୁ ଉଦଘାଟନ କରି ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ସମସ୍ତେ ଜଗନ୍ନାଥଙ୍କ ଠାରୁ ସୃଷ୍ଟି।ସେ ପୁରୁଷୋତ୍ତମ। ତାଙ୍କରି କୋଳରୁ ଆସିଛେ ତାଙ୍କରି କୋଳକୁ ଫେରିଯିବା ବୋଲି କହିଥିଲେ। ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ମହାନ। ଏଠାରେ ଧର୍ମ ମାନବତା, ଦେଶ ଅଖିଳବିଶ୍ୱ, ଶାସକ ପ୍ରଭୁ ଜଗନ୍ନାଥ। ସାଧାରଣ ଲୋକଙ୍କ ସହ ମିଶିବାକୁ ଇଶ୍ୱର ନିଜେ ମନ୍ଦିର ରୁ ବାହାରି ଆସନ୍ତି ବୋଲି କହିବା ସହ ବିକାଶ ର ଅର୍ଥ ପ୍ରେମ, ଅନ୍ତଃକରଣର ପ୍ରେମ ବୋଲି କହିଥିଲେ। ଚାରଣ ଗୋଷ୍ଠୀ ଜଗନ୍ନାଥ ଚେତନା କୁ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚାଇବାର ଉଦ୍ୟମ କୁ ସେ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ସମ୍ପ୍ରତି ସାମାଜରେ ଦେଖାଯାଉଥିବା ଅବକ୍ଷୟ କୁ ପ୍ରତିହତ କରି ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଚାରଣ ଗୋଷ୍ଠୀ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଶ୍ରୀ ରାମଚନ୍ଦ୍ର ଦାଶ ମହାପାତ୍ର ପଣ୍ଡିତ ସଦାଶିବ ରଥଶର୍ମା ଙ୍କ ଦ୍ଵାରା ପ୍ରତିଷ୍ଠିତ ଚାରଣ ଗୋଷ୍ଠୀ ବର୍ତ୍ତମାନ ଏକ ବିରାଟ ବିପ୍ଳବ ରେ ପରିଣତ ହୋଇଛି ଯାହାକି ସମାଜକୁ ଜଗନ୍ନାଥ ଚେତନା ରେ ଉଦବୁଦ୍ଧ କରିଛି ବୋଲି କହିଥିଲେ। ଚାରଣ ଗୋଷ୍ଠୀ ର ସଭାପତି ପ୍ରଫେସର ଗୋପାଳ ଚନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ଶ୍ରୀ ବଂଶୀଧର ପରିଡ଼ା ଚାରଣ ଗୋଷ୍ଠୀ ର ୨୫୩ ଟି ଶାଖା ରେ ସଦସ୍ୟ ମାନେ ଜଗନ୍ନାଥ ଭାବଧାରାର ପ୍ରଚାର ପ୍ରସାର ରେ ବ୍ରତୀ ଅଛନ୍ତି ବୋଲି କହିଥିଲେ। ସଦସ୍ୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ହରିଶ ଚନ୍ଦ୍ର ସାହୁ,ଉପଦଳପତି ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଅବସରରେ ରାଜ୍ୟପାଳ ୪ ଗୋଟି ପୁସ୍ତକ ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚାରଣ ଗୋଷ୍ଠୀର ସଦସ୍ୟମାନେ ଏଥିରେ ଯୋଗ ଦେଇଛନ୍ତି।


Share: