ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

Share:

ପୁରୀ- ତା. ୨୩.୦୯.୨୦୨୧-(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋ ଚିଫ ) ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଦ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି ।

ପୋଲିଂ ଅଧିକାରୀ ମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ । ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ମୋଟ ୧୦୭୭ ଜଣ ମତଦାନ ସାବ୍ୟସ୍ତ କରିବେ । ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଦ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ପୂର୍ବରୁ ଏମାନଙ୍କ ମଧ୍ୟରୁ ଗତ ମେ ୩ ତାରିଖରେ ପୋଷ୍ଟାଲ ବାଲଟ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣଙ୍କ ମୋଟ ୧୩୮ ଜଣଙ୍କ ଠାରୁ ମତଦାନ ନିଆଯାଇ ସରିଛି । ଏଥିନିମନ୍ତେ ୭ଟି ଗାଡି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ । ବୁଥ ସ୍ତରୀୟ ଅଧିକାରୀ ମାନେ ଏଥିନିମନ୍ତେ ସହଯୋଗ କରିବେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Share: