ପେନସନ୍ ଓ ପ୍ରମୋଶନ ଅଦାଲତ ଖୁବ୍ଶୀଘ୍ର

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର:ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର । ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନୀୟମାନୁଯାୟୀ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ସେମାନଙ୍କୁ ପେନ୍ସନ୍ ପ୍ରଦାନ ନିମନ୍ତେ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ୍ୟ ଦିନଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ । ଏଥି ନିମନ୍ତେ ସମସ୍ତ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ତାରିଖ ଓ ସ୍ଥାନ ଘୋଷଣା କରାଯିବ । ଏଥିପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍ ପାଇନଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ନିମନ୍ତେ ସହଯୋଗ କରିବେ । ଏଥି ନିମନ୍ତେ ପ୍ରତି କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲାଯିବ । ଏହାଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକୀୟ ପେନସନ୍ କାଗଜପତ୍ର ପ୍ରଦାନ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ, ପଂଚାୟତି ରାଜ, ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବାରୁ ଏଥି ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛି । ସଂପୃକ୍ତ ବିଭାଗର ନିର୍ଦ୍ଦେଶକମାନେ ସେମାନଙ୍କ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏଥି ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଏପରିକି ବିଭିନ୍ନ ତଥ୍ୟ ଅଭାବରୁ, ବୟସାଧିକ, ସ୍ୱାମୀ କିମ୍ୱା ସ୍ତ୍ରୀଙ୍କ ମୃତ୍ୟୁ କାରଣରୁ ପେନସନ୍ରୁ ବଞ୍ଚିତ କର୍ମଚାରୀଙ୍କ ଘରୁ ପେନସନ୍ ପତ୍ର ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ଆବଶ୍ୟକ ପଡିଲେ ଅନଲାଇନ ମାଧ୍ୟମରେ ପେନସନ୍ ପତ୍ର ସଂଗ୍ରହ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଏତତ୍ ବ୍ୟତୀତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମାନୁଯାୟୀ ଯୋଗ୍ୟତା ଭିତ୍ତିକ ପଦୋନ୍ନତି ନିମନ୍ତେ ମଧ୍ୟ ଅଦାଲତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ । ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବ । ତିନି ଦିନ ଧରି ଏହି ଅଦାଲତ ଅନୁଷ୍ଠିତ ହେବ । ଖୁବ୍ଶିଘ୍ର ଏଥି ନିମନ୍ତେ ତାରିଖ ଓ ସ୍ଥାନ ଘୋଷଣା କରାଯିବ ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ବିଭିନ୍ନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।


Share: