ଲାଇଫଗାର୍ଡ ମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଲାଇଫଗାର୍ଡ ମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ସ୍ଥାନୀୟ ୟୁଥ ହଷ୍ଟେଲରେ ଶୁଭାରମ୍ଭ ହୋଇଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ପର୍ଯ୍ୟଟନ ଓ ଭ୍ରମଣ ପରିଚାଳନା ସଂସ୍ଥା ମିଳିତ ସହଯୋଗରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୁରୀ ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଉପରେ ଲାଇଫଗାର୍ଡ ମାନେ ସତର୍କ ନଜର ରଖିଥାନ୍ତି । ସେମାନଙ୍କ ଯୋଗୁଁ ବିଭିନ୍ନ ସମୟରେ ପର୍ଯ୍ୟଟକ ମାନଙ୍କ ଜୀବନ ରକ୍ଷା ହୋଇପାରୁଛି । ପର୍ଯ୍ୟଟକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ଆତିଥେୟତା ପ୍ରଦାନ କରିବା ଦ୍ବାରା ଏହାର ସୁପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପରିଲିକ୍ଷିତ ହୋଇଥାଏ ।

ଏହାଦ୍ବାରା ପର୍ଯ୍ୟଟନ ଶିଳ୍ପ ବ୍ୟାପକ ହେବା ସହ ଅର୍ଥନୀତି ସୁଦୃଢ ହେବାରେ ମଧ୍ୟ ସହାୟକ ହୋଇଥାଏ । ଏଥିନିମନ୍ତେ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ପ୍ରତ୍ୟେକ ପେଶାଦାର ମାନଙ୍କୁ ତାଲିମ ପ୍ରଦାନ କରାଯିବା ଆବଶ୍ୟକତା ଥିବା ଶ୍ରୀ ସାହୁ ଉଲ୍ଲେଖ କରିଥିଲେ । ସେହିଭଳି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଲାଇଫଗାର୍ଡ ମାନେ ସେମାନଙ୍କ ଅଭିଜ୍ଞତା ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ସହାୟତା କରି ପାରୁଛନ୍ତି । ଆତିଥେୟତା ସହ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଭାବ ବିନିମୟ କଳା ଶିଖିବା ନିମନ୍ତେ ତାଲିମ ପ୍ରଦାନ ଉପରେ ସେ ଆଲୋକପାତ କରିଥିଲେ । ଏହାଦ୍ବାରା ଲାଇଫଗାର୍ଡ ମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିବେ ବୋଲି ସେ କହିଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜକାନ୍ତ ପ୍ରଧାନ ଏଥିନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରିଥିଲେ । ଭାରତୀୟ ପର୍ଯ୍ୟଟନ ଓ ଭ୍ରମଣ ପରିଚାଳନା ସଂସ୍ଥା ମୁଖ୍ୟ ଡଃ ମହମ୍ମଦ ସାବିର ହୁସେନ ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଉପସ୍ଥାପନ ପ୍ରଦାନ କରିଥିଲେ । ସମୁଦ୍ରକୂଳ ଓ ବିଭିନ୍ନ ସୁଇମିଂପୁଲରେ ନିୟୋଜିତ ଲାଇଫଗାର୍ଡ ମାନଙ୍କୁ ଏହି ତାଲିମ ମାଧ୍ୟମରେ ନୂତନ ଭାଷା ସହ ଆତିଥେୟତା କୌଶଳ ଶିକ୍ଷା ପ୍ରଦାନ କରାଯିବ । ପ୍ରାୟ ୩୦୦ ଜଣ ଲାଇଫଗାର୍ଡ ମାନଙ୍କୁ ୬ଟି ଗ୍ରୁପରେ ଭାଗ କରାଯାଇ ପ୍ରତ୍ୟେକ ଗ୍ରୁପକୁ ତିନିଦିନିଆ ତାଲିମ ପ୍ରଦାନ କରାଯିବ ।
ଉକ୍ତ ତାଲିମର ସଂଯୋଜକ ଡଃ ବି. ସ୍ବଜନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତାଲିମ ମୁଖ୍ୟ ଡଃ ଆଦ୍ୟାଶା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Share: