ମୁକୁନ୍ଦପୁର ବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତି ବାର୍ଷିକ ଉତ୍ସବ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଭି ସତ୍ୟନାରାୟଣଙ୍କ ଆବାହକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନରେନ୍ଦ୍ର ନିଶାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋରଚନ୍ଦ୍ର ପଟ୍ଟନାୟକ ଏବଂ କୋଲନରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏମ୍ ଖଗେଶ୍ବର ରାଓ, ଏବିଇଓ ପିତୃଦେବ ବିଡିକା, ବ୍ଲକ ଅଧକ୍ଷା ସଂଯୁକ୍ତା କୁଲିସିକା, କ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ବର ନାଇଡୁ, ସ୍ଥାନୀୟ ସରପଞ୍ଚ ସନ୍ତୋସିନୀ ହୁଇକା, ସମିତି ସଭ୍ୟ ଅଜୟ ନିଶାଲ ଓ ସିଆରସିସି ଗୋବର୍ଦ୍ଧନ କୁଲିସିକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଗଲା ପରେ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ଶିକ୍ଷକ ଅମୂଲ୍ୟ ମାଳି ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଉପସ୍ଥିତ ଅତିଥି ମାନେ ନିଜ ନିଜ ଅଭିଭାଷଣ ରଖିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସାମାଜିକ ଶୃଙ୍ଖଳା ସହ ଶିକ୍ଷା ଜୀବନର ଏକ ଅମୂଲ୍ୟ ସମ୍ପଦ ହୋଇଥିବା ବେଳେ ନିଜକୁ ଜଣେ ଭଲ ମଣିଷ ରୂପେ ଗଢି ତୋଳିବାକୁ ମୁଖ୍ୟ ଅତିଥି ଶ୍ରୀ ସାରକା ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ। ସେହିପରି ଉତ୍ତମ ନାଗରିକ ଗଠନ ଓ ଗୁଣାତ୍ମକ ଶିକ୍ଷାର ପ୍ରସାର ସହ ସର୍ବଦା କଠିନ ପରିଶ୍ରମ ହିଁ ସଫଳତା ଆଣି ଦେଇଥାଏ ବୋଲି ଅନ୍ୟ ଅତିଥି ମାନେ ନିଜ ନିଜ ଅଭିଭାଷଣରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଗତ କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସଚେତନତା ମୂଳକ ଡ୍ରାମା ପରିବେଷଣ କରାଯାଇଥିଲା ଯଦ୍ବାରା ବିଦ୍ୟାଳୟ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା। ଶେଷରେ ସିଆରସିସି ଦେବେନ୍ଦ୍ର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ସଂଜୟ କୁମାର ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୋମନାଥ ଦାସ, ଅଶୋକ ଦାସ, ବାଳକୃଷ୍ଣ ଗମାଙ୍ଗ, ବୈଲୋଚନ ନାୟକ, ଲକ୍ଷ୍ମୀକାନ୍ତ ରାଉତ, ସୁମନ୍ତ କୁମାର ନାୟକ, ଶିକ୍ଷୟିତ୍ରୀ ଜିତାରାଣୀ ସେନାପତି, ଟି ଲକ୍ଷ୍ମୀ ନାରାସାମ୍ମା, ଅନୀଲ କୁମାରୀ ପାଢ଼ୀ ଓ ଲିଲିପ୍ରିୟ ଶ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ କୈଳାଶପୁର, ରେଖାପଦର, ଭୋଇମଡା, ଝରଡି, ବଡଖିଲାପଦର ଓ କୋଲନରା ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଅଭିଭାବକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।


Share: