ବିଶ୍ଵ କପ ହକି ଉପଲକ୍ଷେ ଢେଙ୍କାନାଳ ମିନି ମହୋତ୍ସବ ଏବଂ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ

Share:

ପପୁ କୁମାର ସାହୁ

ଢେଙ୍କାନାଳ ତା : ବିଶ୍ବ କପ ହକି ଉପଲକ୍ଷେ ଆସନ୍ତା ଜାନୁୟାରୀ ୨୭ , ୨୮ ଏବଂ ୨୯ ତାରିଖ ୩ ଦିନ ବ୍ୟାପୀ ଢେଙ୍କାନାଳ ମିନି ମହୋତ୍ସବ ଏବଂ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମହୋତ୍ସବ ଓ ପଲିଶ୍ରୀ ମେଳାକୁ ସରସ ସୁନ୍ଦର କରିବା ପାଇଁ ସେ ସମସ୍ତ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଛନ୍ତି । ଢେଙ୍କାନାଳ ମିନି ମହୋତ୍ସବ ଏବଂ ପଲିଶ୍ରୀ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଜନସାଧାରଣଙ୍କ ଗମନାଗମନ କୁ ଦୃଷ୍ଟିରେ ରଖୁ ଯାନବାହାନ ନିୟନ୍ତ୍ରଣ ଓ ଗାଡି ପାକିଂ କୁ ବ୍ୟବସ୍ଥିତ କରାଯିବ , ଏଥ୍‌ନିମନ୍ତେ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ମହୋତ୍ସବ ଉପଲକ୍ଷେ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ତଥା ରାଜ୍ୟର ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ମେଳାରେ ଢେଙ୍କାନାଳ ଏବଂ ଅନ୍ୟ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ପ୍ରମୁଖ ବିଭାଗ ପକ୍ଷରୁ ପ୍ରାୟ ୬୦ ଗୋଟି ଷ୍ଟଲ ଖୋଲାଯିବା ସହିତ ଫୁଡ ଷ୍ଟଲ ମଧ୍ୟ ଖୋଲାଯିବ । ମହୋତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଜିଲ୍ଲାର ପ୍ରତିଭାବନ ବ୍ୟକ୍ତିତ୍ଵ ଙ୍କୁ ସମ୍ମାନିତ କରାଯିବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡା ଓ କଳା – ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବ ଙ୍କୁ ସମ୍ମାନିତ କରାଯିବ । ଏଥୁପାଇଁ ଆସନ୍ତା ୨୨ ତାରିଖ ସୁଦ୍ଧା ଜିଲ୍ଲାର ଉଦୀୟମାନ କ୍ରୀଡାବିତ ମାନେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ନିକଟରେ ଏବଂ କଳା – ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିତ୍ଵ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ଜଣାଇ ଦିଆଯାଉଛି । ଢେଙ୍କାନାଳ ମିନି ମହୋତ୍ସବ ଏବଂ ପଲିଶ୍ରୀ ମେଳା ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶ ପାଇବ । ଉତ୍ସବ ପାଳନକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କର ସହଯୋଗ ନିଆଯିବ । ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା ମିନି ମହୋତ୍ସବ ଏବଂ ପଲିଶ୍ରୀ ମେଳା ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ) , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ କୁମାର ଦାଶଙ୍କ ସମେତ ବିଭାଗୀୟ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି , ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Share: