ବନ୍ୟା ପରିସ୍ଥିତି ର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ବନ୍ୟା ପରିଚାଳନାରେ ପୁରୀ ଜିଲ୍ଲା ପ୍ରଶାସନ ବେଶ ସନ୍ତୋଷଜନକ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି। ପୁରୀ ଜିଲ୍ଲା ବନ୍ୟାର ଉଦ୍ଧାର ଓ ରିଲିଫ କାର୍ଯ୍ୟ ର ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସମସ୍ତ ଜୀବନ ମୂଲ୍ୟବାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ଜିଲ୍ଲା ପ୍ରଶାସନ ରକ୍ଷା କରିବା ସହ ଲୋକ ମାନଙ୍କୁ ସହଯୋଗ କରିଛନ୍ତି। ପାଣି ଛାଡିବା ପରେ ବିକଳ୍ପ ଚାଷ ପାଇଁ କମ ଦିନିଆ ଧାନ ବିହନ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଆବଶ୍ୟକତା ଅନୁସାରେ ପଲିଥିନ ବଣ୍ଟନ ପାଇଁ ସେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ନଦୀ ବନ୍ଧ ଗୁଡିକୁ ନିୟମିତ ଯାଚଂ ସହ ବନ୍ଧରେ ଉଠୁଥିବା ଗଛ ଗୁଡିକୁ ସଫା କରାଗଲେ ଗଳିଆ ବା ଘାଇର ସମ୍ଭାବନା କମନ୍ତା ବୋଲି କହିବା ଖାଦ୍ୟ ଓ ଗୋ ଖାଦ୍ୟ ର ସୁଷମ ବଣ୍ଟନ ଉପରେ ଗୁରୁତ୍ୱ ଦେଇଥିଲେ। କ୍ରୀଡା ଓ ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ କୁ ତୁରନ୍ତ ଶେଷ କରାଯିବାକୁ ପରାମର୍ଶ ଦେଇଥିଲେ। ଜଗତସିଂହପୁର ଲୋକସଭା ସାଂସଦ ଡା ରାଜଶ୍ରୀ ମଲ୍ଲିକ,ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ, ପିପିଲି ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ,ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ବର ମହାନ୍ତି,ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱପ୍ନା ରାଣୀ ସ୍ୱାଇଁ, ଉପସଭାପତି ଶ୍ରୀ ସ୍ୱାଧୀନ ନାୟକ, ପୁରୀ ସାଂସଦ ଙ୍କ ପ୍ରତିନିଧି ପ୍ରମୁଖ ପ୍ରତି ପଚାଂୟତ ରେ ଗୋଟିଏ ଲେଖାଏଁ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ, ବନ୍ୟା ଓ ବନ୍ୟା ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସମସ୍ତ ଙ୍କୁ ସ୍ୱାଗତ ଓ ସୂଚନା ଦେବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ଜିଲ୍ଲା ର କଣାସ ବ୍ଲକର ମକରା ନଦୀରେ ଛୁପୁରିଙ୍ଗି ପଚାଂୟତ ର ପହିଲୁଣ୍ଡି ଗ୍ରାମ ନିକଟସ୍ଥ ଜଟଣୀ ବ୍ଲକ ର ରାଜୁଆ ନଦୀର ହଳଦୀପଡା ଓ ଗୋପ ବ୍ଲକ ର କୁଶଭଦ୍ରା ନଦୀର ବେଦପୁର ପଚାଂୟତ ର ଖଣ୍ଡିଆକୁଦ ଠାରେ ଘାଇ ସୃଷ୍ଟି ହୋଇଛି।

ଏହି ବନ୍ୟା ରେ ଜିଲ୍ଲା ର ମୋଟ ୧୧ ଟି ବ୍ଲକ ମଧ୍ୟରୁ ୬ ଗୋଟି ବ୍ଲକ ର ୪୫ ପଚାଂୟତ ର ୧୮୯ ଗ୍ରାମର ୧,୪୩,୪୨୯ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ କଣାସ ବ୍ଲକ ର ୬ ପଚାଂୟତ ର ୨୦ ଗ୍ରାମର ୨୩୨୦୦ ଲୋକ, ଗୋପ ବ୍ଲକ ର ୮ ପଚାଂୟତ ର ୩୪ ଗ୍ରାମର ୨୭୯୧୫ ଲୋକ, ଡେଲାଙ୍ଗ ବ୍ଲକ ର ୯ ପଚାଂୟତ ର ୪୦ ଗ୍ରାମର ୪୩୨୧୭ ଲୋକ, ପିପିଲି ବ୍ଲକ ର ୬ ପଚାଂୟତ ର ୨୦ ଗ୍ରାମର ୪୨୪୦ ଲୋକ, ନିମାପଡା ବ୍ଲକର ୧୪ ଟି ପଚାଂୟତ ୬୯ ଗ୍ରାମର ୪୪୬୫୯ ଲୋକ ଓ ଅସ୍ତରଙ୍ଗ ବ୍ଲକ ର ୨ ଟି ପଚାଂୟତ ର ୬ ଟି ଗ୍ରାମର ୧୯୮ ଜଣ ଲୋକଙ୍କୁ ପ୍ରଭାବିତ କରିଛି। ୧୨୩୧୯ ଜଣ ଲୋକଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି। ୩୯ ଟି ଆଶ୍ରୟ ସ୍ଥଳ ଖୋଲାଯାଇଛି। ୨୧ ପ୍ରସୂତି ଙ୍କୁ ଚିକିତ୍ସାଳୟକୁ ପଠାଯାଇଛି। ପ୍ରଭାବିତ ଙ୍କୁ ୧୧୭୪.୨୩ କ୍ୟୁଣ୍ଟାଲ ଚୁଡା,୧୧୧.୮୬ କ୍ୟୁଣ୍ଟାଲ ଗୁଡ ଓ ୧,୪୭,୭୪୪ ପାଣି ବୋତଲ ,୮୭.୫୫ ମେଟ୍ରିକ ଟନ ଗୋ ଖାଦ୍ୟ,୧୪୧୫ ପିସ୍ ପଲିଥିନ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲା ର ସମସ୍ତ ବ୍ଲକର ୯୦ ଟି ପଚାଂୟତ ର ୪୧୧ ଗ୍ରାମର ୨୩୬୩୫ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଥିବାର ସମୀକ୍ଷା ବୈଠକରେ ସୂଚନା ମିଳିଛି। ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ର ଦାୟିତ୍ୱ ଦିଆଯାଇଛି। ୩୨ ଟି ଦେଶୀ ଡ଼ଙ୍ଗା ଓ ୨୬ ଟି ଏସ୍ ଆର ସି ବୋଟ ନିୟୋଜିତ କରାଯାଇଛି। ବାଲି ବସ୍ତା ଗଛିତ ସହ ନଦୀ ବନ୍ଧ ରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ,୧୨ ମେଡିକାଲ ଟିମ,୫ ଟି ପଶୁ ଚିକିତ୍ସା ଟିମ, ୨ ଟି ଓଡ୍ରାଫ ,୩ ଟି ଏନ ଡି ଆର ଏଫ୍ ଟିମ ୭ ଟି ଅଗ୍ନିଶମ ଟିମଙ୍କୁ ମୁତୟନ କରାଯାଇଛି। ଲୋକ ପ୍ରତିନିଧି, ସ୍ୱଛାସେବୀ ସଂଗଠନ, ଆପଦମିତ୍ର ଓ ରେଡକ୍ରସ ର ସ୍ୱଛାସେବୀ ମାନେ ଉଦ୍ଧାର ଓ ସହାୟତା କାର୍ଯ୍ୟକ୍ରମ ରେ ସହଯୋଗ କରୁଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜମି ଅଧିଗ୍ରହଣ ଓ ଥଇଥାନ ଶ୍ରୀ କୈଳାସ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


Share: