ଉପକୂଳ ଓଡିଶାର ଏକମାତ୍ର ବ୍ଲକ ଭାବେ ମାର୍ଶାଘାଇ ଜିଣିଲା ‘ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର’

Share:

ବିଶ୍ୱଜିତ ପ୍ରଧାନ

କେନ୍ଦ୍ରାପଡ଼ା :ମାର୍ଶାଘାଇ :ରାଜ୍ୟ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାର୍ଶାଘାଇ ପଞ୍ଚାୟତ ସମିତି ଦ୍ବିତୀୟ ସ୍ଥାନ ଅଧିକାର କରି “ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର” ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିବାରେ ସଫଳ ହୋଇଛି । ଭୁବନେଶ୍ବର ଜୟଦେବ ଭବନ ଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଲୋକସେବା ଦିବସ – ୨୦୨୩’ ଅବସରରେ ମାର୍ଶାଘାଇ ର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ସାମଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର ପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ଉପସ୍ଥିତ ରହି ବିଡିଓ ଓ ଅଧ୍ୟକ୍ଷା ମହାଶୟାଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ଓ ନିଷ୍ଠା ପାଇଁ ଭୂୟସୀ ପ୍ରଶଂସା କରିଥିଲେ।ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଉଦ୍ଦିପନା ସୃଷ୍ଟି କରିବା ସହ ୯ ଗୋଟି ଥିମ୍ ନେଇ ୨୦୩୦ ସୁଦ୍ଧା ରାଜ୍ୟକୁ ବିକାଶଶୀଳ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ପ୍ରତିଯୋଗିତାରେ ଉପକୂଳ ଓଡିଶାର ଏକମାତ୍ର ଜିଲ୍ଲା ଭାବେ କେନ୍ଦ୍ରାପଡା ପାଇଁ ଗର୍ବ ଓ ଗୌରବ ଆଣିଛି ମାର୍ଶାଘାଇ ବ୍ଲକ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଥମ ସ୍ଥାନ ଓ ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ବ୍ଲକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।


Share: