ଆଜାଦିକା ଅମୃତ ମହୋତ୍ସବର ଭାରତ ରଂଗ ମହୋତ୍ସବ ଉଦ୍‌ଘାଟନ କଲେ ଆନ୍ଧ୍ର ରାଜ୍ୟପାଳ ପ୍ରଥମ ଦିବସରେ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ।

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସ୍‌ର ଅଡିଟୋରିୟମରେ ପୂର୍ବ ଭାରତର ୩ଟି ରାଜ୍ୟର ଅନୁଷ୍ଠିତ ହେଉଥିବା ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଭାରତ ରଙ୍ଗ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉକ୍ତ ଉତ୍ସବର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଛନ୍ତି । ସେ ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଅନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୁଣଗାନ କରିଛନ୍ତି । ଇଂରେଜମାନଙ୍କ ଦ୍ୱାରା ହୋଇଥିବା ଜୁଲମ ଓ ନିରୀହ ଲୋକମାନେ କିପରି ସହିଦ୍ ହୋଇଥିଲେ ତାହା ମନେ ପକାଇଥିଲେ । ଓଡ଼ିଶାରେ ଇଂରେଜମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ ଗଣହତ୍ୟା ଭଳି ମର୍ମନ୍ତୁଦ ଘଟଣାକୁ ମନେ ପକାଇ କ୍ଷୋଭ ପ୍ରକାଶ କରିଥିଲେ ଓ ଏଥିରେ ସହିଦ୍ ହୋଇଥିବା ବୀର ଓଡ଼ିଆମାନଙ୍କର ଜୟଗାନ କରିଥିଲେ ।
ଏହି ଅବସରରେ ଇଂରେଜମାନଙ୍କ ବିରୋଧରେ ଦୁର୍ଦ୍ଧର୍ଷ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅନ୍ୟତମ ଗଣ ଆନ୍ଦୋଳନ ପାଇକ ବିଦ୍ରୋହକୁ ମନେପକାଇ କହିଥିଲେ ଯେ ପାଇକମାନେ ହେଉଛନ୍ତି ପଦାତିକ ସୈନ୍ୟ । ଯାହାଙ୍କର ଦୃଢ଼ ନିଷ୍ଠା ଓ ମାତୃଭୂମିକୁ ଭଲପାଇବା ଏ ଜାତିରେ ତିଆରି କରିଥିଲା ପାଇକ ବିଦ୍ରୋହ ଭଳି ଏକ ଅନ୍ୟତମ ଗଣସଂଗ୍ରାମ । ଯାହା କି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ମନରେ ଇଂରେଜମାନଙ୍କୁ ଓଡ଼ିଶାରୁ ବିତାଡ଼ିତ କରିବାର ଏକ ଆଶା ସଂଚାର କରିଥିଲା ।

ଏହି ପାଇକ ବିଦ୍ରୋହରେ ଇଂରେଜମାନେ ପାଇକମାନଙ୍କର ଦୃଢ଼ ମନୋବଳ ଓ ଯୁଦ୍ଧ କୌଶଳ ପାଖରେ ହତଚକିତ ହୋଇଯାଇଥିଲେ । ଏଥିରେ ଜନଧନ ହାନୀ ହେବା ସହିତ ସେମାନେ ନିଜ ପରିବାରଠୁ କିପରି ଦୂରରେ ରହି ବକ୍ସି ଜଗବନ୍ଧୁଙ୍କ ଡାକରାରେ ଆନ୍ଦୋଳନକୁ ତୀବ୍ର କରିଥିଲେ ତାହା ଉପରେ ରାଜ୍ୟପାଳ ଶ୍ରୀହରିଚନ୍ଦନ ଅଲୋକପାତ କରିଥିଲେ । ପାଇକ ବିଦ୍ରୋହ ଓଡ଼ିଆ ଜାତିର ଗର୍ବିତ ଇତିହାସକୁ ଆମକୁ ବାରମ୍ବାର ମନେ ପକାଇଦିଏ । ପାଇକମାନେ ଓଡ଼ିଆଙ୍କ ସାହସ, ଧୈର୍ଯ୍ୟ ଓ ପରାକ୍ରମର ଯେଉଁ ଅଦ୍ଭୁତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାହା ସର୍ବଦା ଓଡ଼ିଶାକୁ ଗର୍ବିତ କରିବ । ଯାହାକି ଆଜି ଅନୁଷ୍ଠିତ ହୋଇଥିବା ନାଟକ “ମହାସଂଗ୍ରାମର ମହାନାୟକ (ବକ୍ସି ଜଗବନ୍ଧୁ)” ଜରିଆରେ ଦେଖିବାକୁ ମିଳିବ ବୋଲି ରାଜ୍ୟପାଳ ଶ୍ରୀହରିଚନ୍ଦନ କହିଥିଲେ ।
ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାସ୍‌ନାଲସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ ପ୍ରଫେସର ରମେଶ ଚନ୍ଦ୍ର ଗୌର ସଭାର ସଭାପତିତ୍ୱ କରିବା ସହିତ ତାଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଆଜାଦି କା ଅମୃତ ମହୋତ୍ସବ ବିଷୟରେ ଆଲୋକପାତ କରିଥିଲେ । ଲୋକମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ପାଇଁ ନାଟକ ଅନ୍ୟତମ ମାଧ୍ୟମ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଏବଂ କିଟ୍‌ର କୁଳପତି ସସ୍ମିତାରାଣୀ ସାମନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ପରେ ନାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମା ଆନୁଲକୂଲ୍ୟରେ ଅନୁଷ୍ଠିତ ହେଉଥିବା ପ୍ରଥମ ଦିବସର ପ୍ରଥମ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ ହୋଇଥିଲା । ଉକ୍ତ ନାଟକକୁ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରଚନା କରିଥିବାବେଳେ ଓଡ଼ିଶାର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଥିଲେ । ଉକ୍ତ ନାଟକଟି ଶତାବ୍ଦୀର କଳାକାର ନାଟ୍ୟସଂସ୍ଥାର କଳାକାରମାନେ ଖୁବ୍ ନିଖୁଣ ଭାବରେ ଅଭିନୀତ କରିଥିଲେ,ଯାହାକି ଦର୍ଶକମାନଙ୍କ ମଧ୍ୟରେ ଖୁବ୍ ଚିତ୍ତlକର୍ଷକ ହୋଇଥିଲା ଓ ନାଟକ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲା ।


Share: