ଘାଟି ଉପରେ ଓଲଟିଲା ଟ୍ରକ, ଟ୍ରକ ଡାଲାରେ ରଶି ଲଗେଇ ଆତ୍ମହତ୍ୟା କଲା ଗାଡି ଚାଳକ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଘାଟି ଉପରେ ଓଲଟିଲା ଟ୍ରକ, ଟ୍ରକ ଡାଲାରେ ରଶି ଲଗେଇ ଆତ୍ମହତ୍ୟା କଲା ଗାଡି ଚାଳକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁ ନିକଟରେ ଥିବା ଭାଗୁଡି ଘାଟିରେ। ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଏକ (ଓଆର ୧୮ ଏ ୯୫୮୭) ନମ୍ବର ବିଶିଷ୍ଟ ମାଲ ବୋଝେଇ ଟ୍ରକଟି ଥେରୁବାଲି ସ୍ଥିତ ଇମ୍ଫା କାରଖାନାରୁ ମାଲ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଭାଗୁଡି ଘାଟିରେ ଓଲଟି ଘାଟି ତଳେ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଶକ୍ତ ଥିଲାକି ଟ୍ରକଟିର ଚେଚିସ ଠାରୁ ଡାଲା ଅଲଗା ହୋଇ ଯାଇଥିଲା। ତେବେ ଏଭଳି ଦୃଶ୍ୟ ଦେଖି ଗାଡି ଚାଳକ ଜଣକ କଣ କରିବ କିଛି ଉପାୟ ଶୂନ୍ୟ ହୋଇ ଦୁର୍ଘଟଣା ଗ୍ରସ୍ତ ଟ୍ରକର ଡାଲା ଉପରେ ରସି ଲଗେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇ ରାୟଗଡା ଏସଡିପିଓ ଶ୍ରୀ ଦିବ୍ୟଜ୍ୟାତି ଦାସଙ୍କ ସହ ଚାନ୍ଦିଲି ଥାନା ଇନ୍ସପେକ୍ଟର ସୀମା ପ୍ରଧାନ ଓ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଶ୍ରୀ ସନ୍ତୋଷ ସିରିକା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ବ୍ୟକ୍ତି ଜଣକ ବସନ୍ତ ନାହାକ (୨୬) ଓ ସେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାପଡିଛି।


Share: