ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ବିଷ୍ଣୁ ମିଳନ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ମା ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଏତିହ୍ୟ ପରମ୍ପରା ଅନୁଯାୟୀ ବାଲୁଗାଁ ପାଟଣା ସାହିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଗୁରୁବାର ଦିନ ବିଷ୍ଣୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କୁଲାକୁଣ୍ଢେଇ ନୂଆଗାଁର ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ, ନିମିକ୍ଷେତା ଗ୍ରାମର ଶ୍ରୀ ଶ୍ରୀ ଭାଗବତ ଦେବ, ସାମନ୍ତରାପୁର ସାହିର ଶ୍ରୀ ଶ୍ରୀ ଦଧିବାମନ ଦେବ, ହନୁମାନ ପରିବା ବ୍ୟବସାୟୀ ସଂଘର ଶ୍ରୀ ଶ୍ରୀ ରଘୁନାଥ ଦେବ,ପାଟଣା ସାହି ଶ୍ରୀ ଶ୍ରୀ ରାଧାକୃଷ୍ଣ ଦେବ,ପାଟଣା ସାହି ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ ସମେତ ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ ଏକତ୍ରିତ ହୋଇ ଖୋଳ ଝାଞ୍ଝ କୀର୍ତ୍ତନ କରି ବାଲୁଗାଁ ବଜାର ପରିକ୍ରମା କରି ପାଟଣାସାହି ସ୍ଥିତ ମଣ୍ଡପକୁ ପାଛୋଟି ନେଇଥିଲେ।

କାଇଁଚପୁର ଗ୍ରାମବାସୀମାନେ ଠାକୁରଙ୍କ ଯିବା ରାସ୍ତାରେ ସାହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାଢ଼ୀ ଛାଉଣୀ କରି ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଅପରାହ୍ଣରେ ୬ଗୋଟି ବିଷ୍ଣୁଙ୍କ ସହ ପାଟଣାସାହିର ପ୍ରସିଦ୍ଧ କାଠି ଠାକୁରାଣୀ ମା ଜାଗୁଳାଇଙ୍କ ମିଳନ ଉତ୍ସବ ହୋଇଯାଇଛି। ଏହି ଅବସରରେ ସୁଦୁର ପାରିକୂଦ ଗଡ , ପାରାଦ୍ଵୀପ ଏବଂ ବାଣପୁର ପଙ୍କାଳ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ମାନେ ୨୪ପ୍ରହର ନାମ ଜଜ୍ଞ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।ଆଧ୍ୟାତ୍ମିକ ପରିବେଶରେ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିବା ବେଳେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଠାକୁରଙ୍କ ବିରାଜମାନ ଆସ୍ଥାନରେ ହରିହାଟ ବା ୬୪ ବ୍ରାହ୍ମଣ ପଣ୍ଡିତ ଭାଗବତ ଗୀତା ପଠନ ପରେ ମେଳନ ପର୍ବ ମହା ଆଡମ୍ବର ସହ ସମ୍ମାପନ ହୋଇଥିଲା। ଭକ୍ତଙ୍କ ଅହେତୁକ ଆଗମନକୁ ନଜରରେ ରଖି ଆଇନି ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।


Share: