ଟ୍ରେନରେ ପର୍ଯ୍ୟଟନଙ୍କ ଠାରୁ ଲୁଟ ଓ ଛୁରାମାଡ଼ ଘଟଣା ରେ ଦୁଇ ଗିରଫ
ରଞ୍ଜନ ଦାସ
ପୁରୀ :ଜଗନ୍ନାଥ ଏକ୍ସପ୍ରେସରେ ପର୍ଯ୍ୟଟକଙ୍କ ଠାରୁ ଡକାୟତି କରିବା ସହ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ। ପୁରୀ ଜିଆରପି ଓ ଆରପିଏଫ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲୋଗଡ ଅଞ୍ଚଳର ରାକେଶ ରଞ୍ଜନ ମଲ୍ଲିକ ଓ ପୁରୀ କୁମ୍ଭାରପଡ଼ାର ବିକାଶ ବଢ଼େଇ। ଜିଆରପି ଓ ଆରପିଏଫ ଏମାନଙ୍କ ଠାରୁ ଏକ ସୁନାଚେନ୍, ୧୦ ଟି ମୋବାଇଲ ଫୋନ, ଏକ ରକ୍ତ ଲଗା ଛୁରୀ ଜବତ କରିଛି। ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ପାଟସପୁର ଅଞ୍ଚଳରୁ ମାଣିକ ବେରା ତାଙ୍କ ପରିବାର ସହ ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଆସୁଥିଲେ। ତେବେ ପୁରୀ ଏନସିସି ଗେଟ ନିକଟରେ ସେହିଦିନ ଅପରାହ୍ନ ଚାରିଟା ସମୟରେ ଏହି ଦୁଇ ଅଭିଯୁକ୍ତ ତାଙ୍କ ଠାରୁ ସୁନା ଚେନ, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ ଛଡାଇ ନେଇଥିଲେ। ଲୁଟ୍ ସମୟରେ ଏହାକୁ ବିଶ୍ବଜିତ ଅଦକ୍ ପ୍ରତିରୋଧ କରିବାରୁ ଦୁଇ ଅଭିଯୁକ୍ତ ରାକେଶ ଓ ବିକାଶ ତାଙ୍କୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବିଶ୍ବଜିତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଶ୍ବଜିତଙ୍କ ଅଭିଯୋଗ ଆଧାରରେ ଜିଆରପି ଓ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।