-ପାର୍ବଣ ଋତୁ ର ଆବାହ କାଶତଣ୍ଡୀ “

Share:

ଗଞ୍ଜାମ 14/9/2021-ଋତୁ ଚକ୍ରର ପରିବର୍ତନରେ ଧାରାଶ୍ରାବଣ ଧରାପୃଷ୍ଟରୁ ଧୀରେ ଧୀରେ ଅପସରି ଯିବାପାଇଁ ଚେଷ୍ଟା କରୁଥିବା ଅବସରରେ ଦିଗବଳୟ ସେପାରିରୁ ଉଙ୍କି ମାରେ ଶରତ । “ଭାଦ୍ରଆଶ୍ୱିନ ସରତରେ ନିର୍ମଳଶୋଭା ଜଗତରେ” କବିଙ୍କର ଏହି ଉକ୍ତିରୁ ସ୍ପଷ୍ଟ ବାରିହୁଏ ଶରତ ଋତୁ ପ୍ରକୃତି ରେ ନିର୍ମଳ ଓ ସ୍ୱଛତା ଭରିଦିଏ । ଆକାଶ ବୁକୁରୁ ହଟିଯାଏ ଘନବାଦଲର ବିଭିଷିକା ।ସାନ୍ଧ୍ୟ ଆକାଶନିର୍ମଳ ।

ତାରାଗଣ ମଧ୍ୟେ ଭୋଦୁଆ ଜହ୍ନର ଅଭିସାର ମନମୁଗ୍ଧକରେ ।ଆକାଶ ରୁ ଝରିପଡ଼େ ମେଞ୍ଚା ମେଞ୍ଚା ଜ୍ୟୋତ୍ସ୍ନା ଓ ଶୀତଳ ଶିଶିର ବିନ୍ଦୁ l ବାଡିରୁ ଝରିଆସେ ଗଙ୍ଗଶିଉଳି ଓ ଜହ୍ନି ଫୁଲର ବାସ୍ନା। କବି ମଧୁସୂଦନ ରାଓ ଶରତ ଋତୁକୁ ରୂପ ସମ୍ଭାର ଦେଇଥିବା ଫୁଲ ପଂକ୍ତି କୁ ନେଇ ଲେଖିଛନ୍ତି “କାଶତଣ୍ଡୀ ଫୁଲେ ମହି ଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ ।ସୁନ୍ଦର ମାଳତୀ ଗଙ୍ଗଶିଉଳି ଟଗରେ, ଧବଳିତ ଉପବନ ଜନମନହରେ”।।ହଁ ଅନେକ ଫୁଲର ସମ୍ଭାର ଭିତରେ କାଶତଣ୍ଡୀ ଫୁଲ ନିଆରା। ଏହି କାଶତଣ୍ଡୀ ଫୁଲ ଶରତ ଋତୁର ଆବାହକ । ନଈପଠାରେ ସବୁଜ ଗୁଳ୍ମରାଶି ମଧ୍ୟରେ ଶରତ ର ଆଗମନରେ ମୁଣ୍ଡ ଟେକେ କାଶତଣ୍ଡୀ, କବିଗଣ ଏହାକୁ କାମଦେବଙ୍କ ଚାମର ରୂପେ ବର୍ଣ୍ଣନା କରନ୍ତି। ସବୁଜ ଧରଣୀ ବୁକୁରେ ଶୁଭ୍ର କାଶତଣ୍ଡୀର ଲହରି ତରଙ୍ଗାଇତ ରୂପରାଜି କାହାରବା ମନଲୋଭା ନ ହେବ? ଇଏ ପ୍ରେମର ପ୍ରତୀକ ରୋମଞ୍ଚ ଭରା କାଶତଣ୍ଡୀ, ଜହ୍ନରାତିର ଜ୍ୟୋତ୍ସ୍ନାରେ ବିଧୌତ ଧରଣୀ ବୁକୁରେ କାଶତଣ୍ଡୀ ଫୁଲର ସମ୍ଭାର ଜନମାନସ ରେ ରୋମାଞ୍ଚ ସୃଷ୍ଟି କରେ। ଏଇ କାଶତଣ୍ଡୀ ର ଅପରୂପ ଶୋଭା ପ୍ରlଚୁଯ୍ୟ ଭିତରେ ଆବିର୍ଭାବ ହୁୟନ୍ତୀ ମା ଦୁର୍ଗା।ଏଇ ଭାରତବର୍ଷ ଭରପୁର ହୋଇଉଠେ ଶାରଦୀୟ ପର୍ବରେ। ସୁନିର୍ମଳ ସ୍ୱଚ୍ଛ ଶରତ ବୁକୁରେ କାଶତଣ୍ଡୀ ର ରୋମାଞ୍ଚ ଭରା ରୂପ ଲାବଣ୍ୟ, ପ୍ରେମିକ, ଭାବୁକ, କବି, ଲେଖକ ସମସ୍ତଙ୍କୁ ଆକୃଷ୍ଟ କରେ।

ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: