ଜିଲ୍ଲା ପୋଲିଓ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

Share:

ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ

ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୧,୮୫,୯୦୧ ଶିଶୁଙ୍କୁ ଦିଆଯିବ ବୁନ୍ଦl

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ: ଜିଲ୍ଲା ସ୍ତରୀୟ ପୋଲିଓ ଟାସ୍କଫୋର୍ସ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଅ‍ାସନ୍ତା ୨୩ ତାରିଖରେ ବୁଥ ସ୍ତରରେ ଏବଂ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତ ବର୍ଷ ଏହି ଅଭିଯାନରେ ଜିଲ୍ଲାର ୧,୮୫,୯୦୧ ଜଣ ଶିଶୁଙ୍କୁ ବୁନ୍ଦା ଦିଆଯିବ । ଟିକାଦାତା ମାନେ ୩,୬୮,୮୦୫ ଘର ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ । ସହରାଞ୍ଚଳରେ ୫୫,୧୦୦ ଓ ଗ୍ରାମାଞ୍ଚଳରେ ୧,୩୦,୮୦୧ ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏଥିପାଇଁ ୭୬୬ଟି ବୁଥ ପ୍ରସ୍ତୁତ ରହିଛି । ସେହିଭଳି ଉକ୍ତ ଦିନ ଗୁଡିକରେ ଜିଲ୍ଲା ବାହାରୁ ଆସୁଥିବା ଶିଶୁ ମାନଙ୍କୁ ବୁନ୍ଦା ଦେବା ନିମନ୍ତେ ବସଷ୍ଟାଣ୍ତ, ଷ୍ଟେସନ, ଶ୍ରୀମନ୍ଦିର ଓ ଅନ୍ୟ ଜନଗହଳି ଭଳି ୫୬ଟି ସ୍ଥାନ ଚିହ୍ନଟ କରାଯାଇଛି । ଏଥିସହ ୨୪ ଟି ଭ୍ରାମ୍ୟମାଣ ଦଳ ସାମିଲ ରହିବେ । ଏହି ଅଭିଯାନରେ ୩,୦୬୪ ଜଣ ବୁନ୍ଦା ପ୍ରଦାନକାରୀ ଓ ୧୬୨ ଜଣ ସୁପରଭାଇଜରଙ୍କ ସମେତ ୩୩୮୬ ବ୍ୟକ୍ତି ଓ ଅଙ୍ଗନୱାଡି କର୍ମୀ ସାମିଲ ରହିବେ । କୋଭିଡ କଟକଣା ମଧ୍ୟରେ ଏହି ଅଭିଯାନ ଜାରି ରହିବ ଏବଂ ପ୍ରତ୍ୟେକ ବୁଥରେ ଏକଥରରେ ୫ ଜଣଙ୍କୁ ପ୍ରବେଶାନୁମତି ଦିଆଯିବ । ଶିଶୁ ମାନଙ୍କୁ ଟୀକାଦାତାଙ୍କ ବିନା ସ୍ପର୍ଶରେ ବୁନ୍ଦା ପ୍ରଦାନ କରାଯିବ । ଏଥିପାଇଁ ଅଭିଭାବକ ମାନେ ସହଯୋଗ କରିବେ । ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବୁନ୍ଦାଦାନ କରାଯିବ ଏବଂ ଏଥିନିମନ୍ତେ ୨,୩୬,୦୯୫ ଡୋଜର ଆବଶ୍ୟକତା ରହିଛି । ପୋଲିଓ ବୁନ୍ଦା ବୋତଲ ସୁରକ୍ଷିତ ଭାବେ ରଖିବା ପାଇଁ ୪୩ଟି Cold Chain Point ରହିଛି । ଗତବର୍ଷ ପ୍ରାୟ ଏକ ଲକ୍ଷ ୫୭ ହଜାର ଶିଶୁଙ୍କୁ ବୁନ୍ଦା ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଟିକାଦାନ କେନ୍ଦ୍ରରେ ବୁନ୍ଦା ଗ୍ରହଣ କରିଥିଲେ । ଚଳିତ ବର୍ଷ ବୁଥରେ ଅଧିକ ପ୍ରତିଶତ ପିଲାଙ୍କୁ ସାମିଲ କରାଯିବା ଲକ୍ଷ ରଖାଯାଇଛି । ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରୋଟାରୀ ଓ ଲାୟନ୍ସ କ୍ଲବକୁ ମଧ୍ୟ ସାମିଲ କରାଯିବ । ବୁନ୍ଦା ପ୍ରଦାନ ନିମନ୍ତେ କିଛି ସମସ୍ୟା ଥିଲେ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଜଣାଇ ପାରିବେ । ଏହାର ନମ୍ବର ହେଲା ୦୬୭୫୨- ୨୨୨୧୨୪ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଏଡିଏମଓ ଡଃ ଦେବୀ ପ୍ରସାଦ ମହାପାତ୍ର, ଜିଲ୍ଲାରେ ଟୀକାକରଣ ଅଭିଯାନର ପରାମର୍ଶଦାତା ଡଃ ସୁନୀଲ କୁମାର ଦାଶ, ଡିପିଏମ ଟି. ନାରାୟଣ ରାଓ, ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ପ୍ରସନ୍ନ କୁମାର ବରାଳ, ଏପିଏମ ଶ୍ରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Share: