କଂଗ୍ରେସ ର ଦଳ ପରିତ୍ୟାଗ ଜାରୀରହିଛି

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଅଣ୍ଟା ଭିଡିସାରିଲେଣି ସବୁ ଦଳର ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥୀତ ପ୍ରାର୍ଥୀ । ନାମାଙ୍କନ ପତ୍ର ଦାଖଲ ଚାଲିଥିବାବେଳେ ଲୋକଙ୍କ ପାଖକୁ ଯାଇ ଭୋଟ ପାଇଁ ଅନୁରୋଧ କରିବା ଆରମ୍ଭ କରିଦେଲେଣି ପଞ୍ଚାୟତ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ । ଏପରି ସ୍ଥିତିରେ କିନ୍ତୁ କଂଗ୍ରେସର ଚିନ୍ତା ବଢିଯାଇଛି  ।କାରଣ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ନେତା ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି। ଦଳ ଛାଡ଼ିଥିବା ନେତାଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ମହିଳା ସଭାନେତ୍ରୀଙ୍କ ଭଳି ନେତା ଥିବାରୁ କଂଗ୍ରେସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। କେବେ କଂଗ୍ରେସର ଗଡ କୁହାଯାଉଥିବା କୋଲନରା ବ୍ଲକରୁ ଦିନକରେ ୫ ବରିଷ୍ଠ ନେତୃବୃନ୍ଦ କଂଗ୍ରେସକୁ ବାଏ ବାଏ କରିଛନ୍ତି। ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଇପିଲି ନାଗଲକ୍ଷ୍ମୀ, ଜିଲ୍ଲା ପରିଷଦ ସଦସ୍ୟ ଆଶୁତୋଷ କିଲାକା, କୋଲନରା ବ୍ଲକ୍ ଯୁବ କଂଗ୍ରେସ ସଭାପତି ତଥା ସାଂସଦ ପ୍ରତିନିଧି ବି. ଧବଳେଶ୍ବର, ପୂର୍ବତନ କୋଲନରା ବ୍ଲକ୍ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ, କଂଗ୍ରେସ ଏସଟି ସେଲ୍ କୋଲନରା ବ୍ଲକ୍ ସଂପାଦକ ତଥା ପୂର୍ବତନ ସରପଞ୍ଚ ତ୍ରିନାଥ ତୋଇକା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ମହିଳା ସଭାନେତ୍ରୀ ଶ୍ରୀମତି ନାଗଲକ୍ଷ୍ମୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ଏସ୍. ରାଜେଶ୍ବରୀ, ବି. ଧବଳେଶ୍ବର, ଶ୍ରୀ ତୋଇକା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। କଂଗ୍ରେସ ଛାଡ଼ିଥିବା ଜିଲ୍ଲା ପରିଷଦ ସଦସ୍ୟ ଆଶୁତୋଷ କିଲାକା କୋଲନରା ଖ ଆସନରୁ ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ିଥିବା ଜିଲ୍ଲା ମହିଳା ସଭାନେତ୍ରୀ ନାଗଲକ୍ଷ୍ମୀ ୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଭାବେ ବିଜୟୀ ହୋଇଥିଲେ।


Share: