ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଜଣଙ୍କୁ ବିଭତ୍ସ ହତ୍ୟା : ଦିଗପହଣ୍ଡି ପୋଲିସର ତଦନ୍ତ ଜାରି

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟସ୍ଥ ସଉରା ପାହାଡ ମୁଖ୍ୟ ରାସ୍ତାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଯୁବକ ତଥା ବିଜେଡି କର୍ମୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ଜଣାପଡିଛି ।

ମୃତ ଦୁଇ ଜଣକ ହେଲେ ଉକ୍ତ ପଞ୍ଚାୟତର ପାଳଝାଡି ଗ୍ରାମର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ବୋଲି ପ୍ରାଥମିକ ସୂଚନାରୁ ଖବର ମିଳିପାରିଛି । ଖବରନୁଯାୟୀ , ଦିଗପହଣ୍ଡି ବ୍ଲକ ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନକୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ତେବେ ମୃତକ ଦୁଇଜଣ ବିଜୟୀ ହୋଇଥିବା ଦଳକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହୋଇ ଆସୁଛି ।

ଯାହାକୁ ନେଇ ବିପକ୍ଷ ଗୋଷ୍ଠୀ ନିର୍ବାଚନ ପରାଜୟକୁ ଭୁଲି ନପାରି ଏଭଳି ହତ୍ୟାକାଣ୍ଡ ଘଟାଇଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି । ତେବେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଉଭୟ ଏକ ବାଇକ୍ ଯୋଗେ ନିକଟସ୍ଥ ଗ୍ରାମ ପନାଡ ଗ୍ରାମରୁ ଭୋଜି ଖାଇ ସାରି ପାଳଝାଡି ଫେରୁଥିଲେ ।

ତେବେ ହତ୍ୟାକାରୀ ମାନେ ସେମାନଙ୍କ ଚଲାପଥକୁ ପୂର୍ବରୁ ନଜର ରଖି ଟାର୍ଗେଟ ମଧ୍ୟ କରିଥିବା ବେଳେ ଉକ୍ତ ପାହାଡିଆ ନିକାଞ୍ଚନ ଜାଗାରେ ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ଆସୁଥିବା ଜଣାପଡିଛି । ଘଟଣାପରେ ରାତିରେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରାକ୍ଟର ଦୁଇ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଖବର ଦେଇଥିଲେ । ଖବରପାଇ ଗ୍ରାମବାସୀ ସେଠାକୁ ଯାଇ ଦେଖିବା ପରେ ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ତେବେ ଉପସ୍ଥିତ ଡାକ୍ତର ସୁଦର୍ଶନ ସୁଆରଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସୁଧୀରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ଡାକ୍ତର ସୁଧୀରଙ୍କୁ ମୃତ ଘୋଷଣା କରିଥିଲେ ।


Share: