କୋଦଳାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ,ଜଣେ ଗୁରୁତର

Share:

ବେଗୁନିଆପଡା(୧୯.୦୯.୨୦୨୧) ଗଞ୍ଜାମ ଜିଲ୍ଲା କୋଦଳା ସହର ଡାକବଙ୍ଗଳା ନିକଟ ଖାଦାଳ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି । ଯୁବକଙ୍କୁ ବିଚ ରାସ୍ତାରେ ନିର୍ମମ ହତ୍ୟା କରାଯାଇଛି । ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ କୋଦଳା ଖଦାଳ ସାହିର ୩୫ବର୍ଷୀୟ କାଳିଆ ଦାସ ।

ଗୁରୁତର ଜଣଙ୍କ ହେଲେ ୩୦ ବର୍ଷୀୟ ସାଗର ଦାସ । କାଳିଆ ଆଜି ସକାଳୁ କୌଣସି କାମରେ ଘରୁ ବାଇକ ଯୋଗେ ତାଙ୍କ ସାଙ୍ଗ ସାଗର ସହିତ ମରାଟୀ ବସାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ରେଞ୍ଜର ବଙ୍ଗଳା ନିକଟରେ କିଛି ଯୁବକ ମାରଣାସ୍ତ୍ରରେ ତାଙ୍କୁ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ଘଟଣା ସ୍ଥଳରେ କାଳିଆ ଟଳି ପଡିଥିବା ବେଳେ ସାଗର ଦୌଡି ପଳାଇଥିଲା । କଳିଆର ସଂଗେ ସଂଗେ ପ୍ରାଣବାୟୁ ଉଡିଯାଇଥିଲା । ଘଟଣା ସ୍ଥଳରେ ତଦନ୍ତ ଲାଗି ପୋଲିସ ପହଁଚି ଥିଲା । ସେପଟେ ଉତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘର ଭାଙ୍ଗିବା ସହ ନିଆଁ ଲଗାଇ ପୋଡାଜଳା କରିଥିଲେ । ଏହା ପରେ କୋଦଳା କୋର୍ଟ ରୋଡ଼ରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ ।

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, କବିସୂର୍ଯ୍ୟ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସହ ବେଗୁନିଆପଡା ଫାଣ୍ଡି ସହ ଚାରୋଟି ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ଚାପ ଉତ୍ତେଜନା ଲାଗି ରହିଥିବା ବେଳେ କୋଦଳାର ପୂର୍ବତନ ନଗରପାଳ ତଥା ଅଂଚଳର ଉଦୟମାନ ଯୁବ ନେତା ହରପ୍ରସାଦ ସାହୁ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠି ପହଁଚିବ ପରେ ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: