ଓଡ଼ିଆ ଚଳଚିତ୍ର ‘ଦମନ’ ଜିଲ୍ଲା / ଉପଖଣ୍ଡସ୍ତରରେ ପ୍ରଦର୍ଶିତ ହେବ ଉପଯୁକ୍ତ ସିନେମା / ଥିଏଟର ହଲ୍ ବୁକ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର:ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥି ପାଇଁ ଉପଯୁକ୍ତ ସିନେମା / ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । କ୍ଷେତ୍ରସ୍ତରରେ କାର୍ଯ୍ୟରତ ଡ଼ାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଥିଲା । ତେବେ ଏହି ଯୋଜନାର କାର୍ଯ୍ୟାୟନ ସହଜ ଓ ସୁଗମ ନଥିଲା ।

ପାହାଡ, ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଦୂରାନ୍ତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧବିଶ୍ୱାଶ, ଅସ୍ୱାସ୍ଥ୍ୟକର ଜୀବନ-ଚର୍ଯ୍ୟା, ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ବଡ଼ ପ୍ରତିବନ୍ଧକ ସାଜିଥିଲା । ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ୍ କାର୍ଯ୍ୟାନ୍ୱୟନ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା ।
ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ । ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଏବଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଥିଲା । ଚଳଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ ରାଜ୍ୟ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ହଲ୍ରେ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ଶୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ । ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।
ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଛି । ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ସିନେମା “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନରେ ଉଭୟ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ” ହେବବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି । ଏଥିପାଇଁ ଜିଲ୍ଲା / ଉପଖଣ୍ଡ ସ୍ତରରେ ଉପଯୁକ୍ତ ସିନେମା / ଥିଏଟର ଅଗ୍ରୀମ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।


Share: