ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ସଂସ୍କୃତି ଭବନରେ ପାଳିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି, ପୁରୀ ସଦର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନାରାଣୀ ସ୍ବାଇଁ ସଭାପତିତ୍ଵ କରିଥିଲେ । ଶ୍ରମିକ ମାନଙ୍କ ଅଧିକାର ଓ ସ୍ବାର୍ଥ ରକ୍ଷା ନିମନ୍ତେ ସମଗ୍ର ବିଶ୍ବରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ମୁଣ୍ତ ଟେକିଛି ।

ଆମେରିକାର ଚିକାଗୋ ସହରରେ ୧୩୫ ବର୍ଷତଳେ ଶ୍ରମିକ ମାନଙ୍କୁ ଆଠ ଘଣ୍ଟାର ଶ୍ରମ, ଆଠ ଘଣ୍ଟାର ବିଶ୍ରାମ ଓ ଆଠ ଘଣ୍ଟାର ମନୋରଞ୍ଜନ ଦାବିକୁ ନେଇ ସୃଷ୍ଟି ହୋଇଥିବା ଜନ ଆନ୍ଦୋଳନ ଆଗରେ ତତ୍କାଳୀନ ସାମନ୍ତବାଦୀ ସମାଜ ମୁଣ୍ତ ନୁଆଁଇଥିଲା । ରାଷ୍ଟ୍ର ଗଠନ ଓ ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ । ଖରା, ବର୍ଷା, ଶୀତ ଓ କାକରକୁ ଖାତିର ନକରି ନଭଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ଶ୍ରମିକ ମାନଙ୍କ ଭୂମିକା ପ୍ରଶଂସନୀୟ । ସେମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବିବାହ, ପାଠପଢା, ଦୁର୍ଘଟଣାଜନିତ, ପ୍ରସୂତୀକାଳୀନ, ଦୂରାରୋଗ୍ୟ, ପକ୍କାଘର ନିର୍ମାଣ, ମୃତ୍ୟକାଳୀନ ଓ ଅନ୍ତେଷ୍ଟିକ୍ରିୟା ସହାୟତା ପ୍ରଦାନ କରୁଛନ୍ତି । ପ୍ରକୃତ ଶ୍ରମିକ ଯେପରି ସେମାନଙ୍କ ଅଧିକାରରୁ ବାଦ ନପଡନ୍ତି ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ମୃତ୍ୟବରଣ କରିଥିବା ୭୪ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ।
ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିଭିଜିଓନାଲ ଲେବର କମିଶନର ଶ୍ରୀ ଶିବଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Share: