ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା

Share:

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ସମ୍ଭାବ୍ୟ ବାତ୍ୟା ଜୱାଦ ମୁକାବିଲା ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ସହ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପୁରୀ ଜିଲ୍ଲାରେ ସ୍ଥଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସମୁଦ୍ର ଓ ଚିଲିକା ନିକଟବର୍ତ୍ତୀ ବ୍ଲକ କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଞ୍ଚଳର ତଳିଆ ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେବା ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଉକ୍ତ ୬ଟି ବ୍ଲକର ଲୋକ ମାନଙ୍କ ନିମନ୍ତେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖିବା ନିମନ୍ତେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ଟି ଗ୍ରାମପଞ୍ଚାୟତ ବିଶେଷ କରି ମହିଷା ଓ ବ୍ରହ୍ମପୁର ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇ ପାରିବ ଏନେଇ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ସମଗ୍ର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକର ୪୨ କିଲୋମିଟର ବ୍ୟାପି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ପରବର୍ତ୍ତି ରିଲିଫ ଓ ପୁନଃରୁଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥିପାଇଁ ବ୍ଲକ ପ୍ରଶାସନ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସେଚନ ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ରିଲିଫ ଓ ପୁନଃରୁଦ୍ଧାର କାର୍ଯ୍ୟରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସହଯୋଗ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଯୋଜନା ମାଧ୍ୟମରେ ଯାରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ ଏଥିପ୍ରତି ଧ୍ୟାନ ଦେବାକୁ ସେ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ତହସିଲଦାର, ବିଡିଓ, ଥାନାଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଚୁଡା, ଗୁଡ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଶ୍ରୀ ଦାସବର୍ମା କହିଛନ୍ତି । ଅନ୍ୟପକ୍ଷରେ ମାଛଧରା ଡଙ୍ଗା ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସମୁଦ୍ର ଓ ଚିଲିକା ଉପରେ ନିର୍ଭରଶୀଳ ଥିବା ମତ୍ସଜିବୀ ମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଛିନ୍ତି ।


Share: