ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ୮ ସାହି ଆଖଡାର ମୁରବି ମାନଙ୍କ ସହ ଆଲୋଚନା

Share:

ଖୁସିବ୍ୟକ୍ତ କରିବା ସହ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଲେ ମୁରବି ମାନେ ।

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ୮ ସାହି ଆଖଡାର ମୁରବି ମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀରେ ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରକଳ୍ପର ଆବଶ୍ୟକତା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯିବ । ଭକ୍ତ ମାନଙ୍କ ସେବା ଓ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବା ସହ ସମସ୍ତଙ୍କ ସହଯୋଗରେ ଏହାର ସୁଫଳ ସୁଦୂର ପ୍ରସାରି ହେବ । ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ସାଧାରଣ ସୁବିଧା ଉପଲବ୍ଧ କରାଇବା, ଶୌଚାଳୟ, ଆଶ୍ରୟସ୍ଥଳୀ, ପୋଲିସ କଣ୍ଟ୍ରୋଲ ରୁମ, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଓ ସାମଗ୍ରୀ ରଖିବା ସ୍ଥାନ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି ବ୍ୟବସ୍ଥା ରହିବ । ଏଥିସହ ଉକ୍ତ ପ୍ରକଳ୍ପ ପାଇଁ ମନ୍ଦିର ଓ ସ୍ଥାନୀୟ ପର୍ବପର୍ବାଣି ଏବଂ ନୀତିକାନ୍ତି ଯେପରି ବ୍ୟାହତ ନହୁଏ ଏଥିପ୍ରତି ଧ୍ୟାନ ଦିଆଯିବ । ଭଜନ ମଣ୍ତପ ଓ ଭଷାଣି ଯାତ ପାଇଁ ସ୍ଥାନ ନିମନ୍ତେ ବ୍ୟବସ୍ଥା ରହିବ । ଅଧିଗ୍ରହଣ ହୋଇଥିବା ଜମିର ଅଧିକାଂଶ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଉ ନାହିଁ ଏବଂ କୌଣସି ନିର୍ମାଣ ମେଘନାଦ ପାଚେରୀ ଠାରୁ ଉଚ୍ଚ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଉକ୍ତ ବୈଠକରେ ଉପସ୍ଥିତ ମୁରବି ମାନେ ପ୍ରକଳ୍ପ ସଂପର୍କରେ ଜାଣି ଖୁସିବ୍ୟକ୍ତ କରିବା ସହ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପକୁ ସଂକ୍ରାନ୍ତୀୟ ସଂଶୟ ଏହି ବୈଠକ ପରେ ଦୂର ହୋଇଥିବା ଏବଂ ଏହାଦ୍ବାରା ଶ୍ରଦ୍ଧାଳୁମାନଙ୍କୁ ଉତ୍ତମ ସେବା ଉପଲବ୍ଧ ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏଥିସହ ମନ୍ଦିରର ଚାରି ଦ୍ବାରରେ ଉକ୍ତ ପ୍ରକଳ୍ପ ସଂପର୍କରେ ସମସ୍ତ ତଥ୍ୟ, ଫଟୋ, ଭିଡିଓ ଓ ଅଡିଓ ମାଧ୍ୟମରେ ପ୍ରଚାର କରିବାକୁ ମୁରବି ମାନେ ପ୍ରସ୍ଥାବ ଦେଇଥିଲେ । ଉକ୍ତ ପ୍ରକଳ୍ପ ସଂପର୍କରେ ସହରର ବିଭିନ୍ନ ଅନୁଷ୍ଠାନକୁ ଅବଗତ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏଥିସହ ସମସ୍ତ ଆଖଡା ବୁଲି ଦେଖି ରକ୍ଷଣାବେକ୍ଷଣ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ମୁରବି ମାନଙ୍କ ପ୍ରସ୍ଥାବକୁ ଜିଲ୍ଲାପାଳ ଗ୍ରହଣ କରିବା ସମସ୍ତ ସହଯୋଗ ଯୋଗାଇ ଦେବାକୁ କହିଥିଲେ ।
ଉକ୍ତ ବୈଠକରେ ୮ ସାହି ଆଖଡାର ପ୍ରମୁଖ ମୁରବି ମାନେ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।


Share: