ଜିଲ୍ଲାରେ ୧୫ରୁ ୧୮ ବର୍ଷ କିଶୋର ମାନଙ୍କୁ କୋଭିଡ ଟୀକାକରଣ ଶୁଭାରମ୍ଭ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ଜିଲ୍ଲରେ ୧୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଏହି ବୟସ ବର୍ଗରେ ୯୦ ହଜାର ୯୬୧ ଜଣ ଥିବାବେଳେ ସେମାନଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଉଛି । ଆସନ୍ତା ଏକ ମାସ ମଧ୍ୟରେ ଏହି ବୟସ ବର୍ଗର ସମସ୍ତଙ୍କୁ ଟୀକା ଦିଆଯିବା ଲକ୍ଷ ରଖାଯାଇଛି । ଆଜି ପାଇ ଅନଲାଇନରେ ୪ ହଜାର ୩ ଶହ ଜଣଙ୍କ ପାଇଁ ସ୍ଲଟ ବୁକିଂର ବ୍ୟବସ୍ଥା ଥିବା ବେଳେ ତିନି ହଜାର ୩୬୮ ଜଣ ଟୀକା ନେଇଥିବା ଜଣାପଡିଛି । ଉଭୟ ଅନଲାଇନ ସ୍ଲଟ ବୁକିଂ କରିଥିବା କିମ୍ବା ସିଧାସଳଖ ଭାବେ ଟୀକାକରଣ କେନ୍ଦ୍ରକୁ ଆସୁଥିବା କିଶୋର ମାନଙ୍କୁ ମଧ୍ୟ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଛି । ଟୀକାକରଣ କେନ୍ଦ୍ରକୁ ଆଧାର କାର୍ଡ କିମ୍ବା ବିଦ୍ୟାଳୟ ପରିଚୟ ପତ୍ର ଆଣିବାକୁ କିଶୋର ମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରାଥମିକ ଭାବେ ଜିଲ୍ଲାର ୧୧ଟି ବ୍ଲକ ସହ ପୁରୀ ସହରର କମଳାଦେବୀ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦନ ହଜୁରୀ ଓ ସ୍ବର୍ଗଦ୍ଵାର ସହାରଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ସ୍ବତନ୍ତ୍ର ଅଭିଯାନ ସହାୟତାରେ ଏହି ବର୍ଗରେ ଶତ ପ୍ରତିଶତ ଟୀକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମ୍ ଟି. ନାରାୟଣ ରାଓ, ଡିଡିଏମ୍ ଶ୍ରୀ ସୁଦାମ ମହାରଣା, ଶ୍ରୀ ପ୍ରଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।


Share: