ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସୁଚାରୁରୂପେ ବଜେଟ ଅଧିବେଶନ ସମପାନପାଇଁ ସଦସ୍ୟଙ୍କ ସହଯୋଗ କାମନା କଲେ ବାଚସ୍ପତି
ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ
ଭୁବନେଶ୍ବର : ଷୋଡଶ ବିଧାନସଭାର ନବମ ଅଧିବେଶନକୁ ସୁଚାରୁରୂପେ ସମାପନ କରିବାପାଇଁ ଆଜି ପୂର୍ବାହ୍ନରେ ବିଧାନସଭା ସଚିବାଳୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବାଚସ୍ପତି ଡ଼ ସୂର୍ଯ୍ୟ ନାରାୟଣ ପାତ୍ର ସମସ୍ତ ଦଳ ଓ ସଦସ୍ୟମାନଙ୍କ ଠାରୁ ସହଯୋଗ କାମନା କରିଛନ୍ତି l ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ବିଧାୟକ ଶ୍ରୀ ଦେବୀ ମିଶ୍ର, ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠୀ, ବିଧାୟକ ମୋହନ ଚରଣ ମାଝୀ ଆଲୋଚନରେ ଅଂଶଗ୍ରହଣ କରିଥିଲେ . ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦତ୍ତ କୋଭିଡ ନିୟମାବଳୀ ଆଧାରରେ ଏହି ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୨୫ ତାରିଖ ଦିନ ୧୧ ଘଟିକା ସମୟରେ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିବେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି ସ୍ଵର୍ଗତ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ ବୋଲି ବାଚସ୍ପତି ଡ଼ ପାତ୍ର ପ୍ରକାଶ କରିଛନ୍ତି । ୪ ଟା ପର୍ଯ୍ୟନ୍ତ ମୁଲତବୀ ପରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବ । ପରଦିନଠାରୁ ଗୃହ କାର୍ଯ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ରୁ ୬ ଘଟିକା ଏପରି ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ବିଧାନସଭା ଚାଲିବ। କେବଳ ୨୭ ତାରିଖ ରବିବାର ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ । ଲୋକସେବା ଭବନ, ଓକାକ ଏବଂ ଜ଼ିଲ୍ଲା କାର୍ଯ୍ୟାଳୟରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସଦସ୍ୟମାନେ ଯୋଡ଼ିହେବେ । ଭାରତୀୟ ଜାତୀୟ କଂଗ୍ରେସ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଦେଉଥିଲା ବେଳେ ଓ ଭାରତୀୟ ଜନତା ଦଳ ୩ ଦିନ ମୁଲତବୀ ପ୍ରସ୍ତାବ ଦେବ । ୨୧ ଓ ୨୨ ତାରିଖରେ ବିଧାୟକ ଓ ବିଧାୟିକାମାନେ ନିଜନିଜ ଜ଼ିଲ୍ଲାରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରିପାରିବେ । ଜ଼ିଲ୍ଲାପାଳ ମାନେ ଏହାର ବ୍ୟବସ୍ଥା କରିବେ l ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିଷରରେ ଉଭୟ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ ସଦସ୍ୟମାନେ କରିପାରିବେ l ୨୦୨୨-୨୩ ବର୍ଷପାଇଁ ବିତ୍ତ କମିଟି , ଗୃହ କମିଟି, ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟି ଆଦି କମିଟିର ନିର୍ବାଚନ ବା ମନୋନୟନ ପ୍ରକ୍ରିୟା ଏହି ଅଧିବେଶନରେ ଶେଷ ହେବ l ବିଧାନସଭା ଅଧିବେଶନ ର ଖବର ସଂଗ୍ରହ ପାଇଁ ବିଧାନସଭା ସମ୍ମିଳନୀ କକ୍ଷଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ l ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କ ପାଇଁ ବୁଷ୍ଟର ଡୋଜର ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି ଡ଼ ପାତ୍ର ସୂଚନା ଦେଇଛନ୍ତି l କାମଚଳା ବଜେଟ ଅଧିବେଶନକୁ ପରମ୍ପରାରେ ପରିଣତ ନ କରିବାକୁ ବିରୋଧୀଦଳ ନେତା ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି l ସେହିପରି ରାଜ୍ୟରେ କୋଭିଡ ସ୍ଥିତି ସୁଧୁରିଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା କରିବା ପାଇଁ ବିରୋଧୀ ଦଳର ଉପନେତା ଶ୍ରୀ ସେଠୀ ପ୍ରସ୍ତାବ ଦେଇଥିଲେ ।