ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷ୍ଣପ୍ରସାଦସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନ ଉଦଘାଟନ ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ – ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରର ଆସନ୍ତା ୫ ତାରିଖ ପୂର୍ବାହ୍ନ ସମୟରେ ଭିଡିଓ କନଫେରନ୍ସି ମାଧ୍ୟମରେ ଶୁଭ ଉଦଘାଟନ କରିବେ । ଏ ସଂପର୍କରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ରଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି ଶ୍ରୀ ଦାସବର୍ମା ପ୍ରାରମ୍ଭରେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ବାକିଥିବା ନିର୍ମାଣ କାର୍ଯ୍ୟ, ଏହାକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାନୀୟ ଜଳ, ଆଲୋକୀକରଣ ଓ ପରିମଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଏହାର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟ ବୃଦ୍ଧି ପୂର୍ବକ ସବୁଜ ବନାନୀ ସୃଷ୍ଟି କରିବା ନିମନ୍ତେ ଆବଶ୍ୟକୀୟ ଚାରା ରୋପଣ ପାଇଁ ଉଦ୍ୟାନ କୃଷି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଉକ୍ତ ସ୍ଥାନକୁ ଯାଇ ପ୍ରସ୍ତୁତି ଉପରେ ଦୃଷ୍ଟି ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ କୃଷ୍ଣପ୍ରସାଦ ବ୍ଲକ ତହସିଲଦାର ଶ୍ରୀ ଉଲ୍ଲାସ କୁମାର ସେଠୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ନାୟକ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ଶିଳ୍ପ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଶିଳ୍ପୀତା ପାଣିଗ୍ରାହୀ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ପ୍ରଧାନ ଓ ସହାୟକ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


Share: